ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ, ୧୩ରୁ ଦ୍ୱିତୀୟ ପର୍ଯ୍ୟାୟ
![](https://thetruths.in/wp-content/uploads/2022/07/Odisha-Assembly-1-1024x576.jpg)
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ବୁଧବାର ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ବୈଠକ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୨-୨୩ ବର୍ଷ ଲାଗି ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଜୁଲାଇ ୧୩ ତାରିଖ ଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବୁଧବାର ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ବିଧାନସଭାରେ ଆଜି ପୁଣି ଉଠିଛି । ବିଜେପି ବିଧାୟକ ନାଉରୀ ନାଏକ ଏହି ପ୍ରସଙ୍ଗ ଉଠାଇଥିଲେ । ସେହିପରି ରାଜ୍ୟରେ ହାତୀ ମାନଙ୍କର ମୃତ୍ୟୁ ସଂଖ୍ୟା ଲଗାତାର ବଢୁଥିବାରୁ ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ହାତୀ ମାନଙ୍କୁ ରକ୍ଷା କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଅସରାଏ ବର୍ଷାରେ କଟକ ସହରର ସ୍ଥିତି ଖରାପ ହୋଇଥିବା ଓ ଲୋକ ମାନେ ଭାରୀ ହଇରାଣ ହରକତ ହୋଇଥିବା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । କଟକ (ବାରବାଟୀ)ର ବିଧାୟକ ମୋହମ୍ମଦ ମୋକିମ ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ଉଠାଇଛନ୍ତି ।