ଆଜି ନାଟୋର ସାମିଲ ହେବ ଫିନଲାଣ୍ଡ, ୩୧ତମ ରାଷ୍ଟ୍ର ଭାବେ ଗ୍ରହଣ କରିବ ସଦସ୍ୟତା
![](https://thetruths.in/wp-content/uploads/2023/04/Finland-Join-NATO-1024x576.jpg)
ନୂଆଦିଲ୍ଲୀ : ଆଜି ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (ନାଟୋ)ର ସାମିଲ ହେବ ଫିନଲାଣ୍ଡ । ୩୧ତମ ସଦସ୍ୟ ରାଷ୍ଟ୍ର ଭାବେ ଫିନଲାଣ୍ଡ ମଙ୍ଗଳବାର ଏହାର ସଦସ୍ୟତା ଗ୍ରହଣ କରିବ । ଏନେଇ ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ସୂଚନା ଦେଇଥିଲେ ।
ଷ୍ଟୋଲଟେନବର୍ଗ କହିଛନ୍ତି ଯେ ମଙ୍ଗଳବାର ଠାରୁ ଫିନଲାଣ୍ଡ ଏହି ସୈନ୍ୟ ସଂଗଠନର ପୂର୍ଣ୍ଣ ସଦସ୍ୟ ହେବ । ନାଟୋ ସଦସ୍ୟ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ବୈଠକ ବ୍ରୁସେଲ୍ସରେ ଆୟୋଜନ ହେବ ଏବଂ ଫିନଲାଣ୍ଡର ସଦସ୍ୟତାକୁ ସମର୍ଥନ ଜଣାଇବାରେ ଶେଷ ଦେଶ ତୁର୍କୀ ନିଜର ଦସ୍ତାବିଜ ଆମେରିକା ବିଦେଶ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିବ । ଷ୍ଟୋଲଟେନବର୍ଗ କହିଛନ୍ତି ଯେ ଏହାପରେ ଫିନଲାଣ୍ଡକୁ ମଧ୍ୟ ଏପରି କରିବା ପାଇଁ ଆମନ୍ତ୍ରଣ କରାଯିବ । ଫିନଲାଣ୍ଡ ପତାକା ସାମିଲ କରାଇବା ପାଇଁ ଧ୍ୱଜାବତରଣ ସମାରୋହ ନାଟୋ ମୁଖ୍ୟାଳୟରେ ମଙ୍ଗଳବାର ଅପରାହ୍ଣରରେ ଆୟୋଜନ କରାଯିବ ।
ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଫିନଲାଣ୍ଡ ଏବଂ ସ୍ୱୀଡେନ ନାଟୋରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । କିନ୍ତୁ ଫିନଲାଣ୍ଡର ସଦସ୍ୟତା ଉପରେ ତୁର୍କୀ ଭିଟୋ ଲଗାଇଥିଲା । ନିକଟରେ ନାଟୋର ଶେଷ ସଦସ୍ୟ ରାଷ୍ଟ୍ର ଭାବେ ତୁର୍କୀ ମଧ୍ୟ ଫିନଲାଣ୍ଡର ସଦସ୍ୟତା ପାଇଁ ନିଜ ସହମତି ଦେଇଥିଲା । ଅନ୍ୟପଟେ ସ୍ୱୀଡେନର ଆବେଦନ ଉପରେ ମଞ୍ଜୁରୀ ଦେବାକୁ ମନା କରିଦେଇଥିଲା । ତୁର୍କୀର ଅଭିଯୋଗ ଥିଲା ଯେ ଏହି ଦୁଇ ଦେଶ ତାଙ୍କ ଦେଶରେ ସକ୍ରିୟ ଆତଙ୍କୀ ସଂଗଠନକୁ ସହଯୋଗ କରୁଛନ୍ତି । ତେବେ ସ୍ୱୀଡେନ ଏବଂ ଫିନଲାଣ୍ଡ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ।
This is an historic week. Tomorrow we will welcome #Finland 🇫🇮 as the 31st member of #NATO, making Finland safer & NATO stronger. pic.twitter.com/DEt2w9clUj
— Jens Stoltenberg (@jensstoltenberg) April 3, 2023
ସୂଚନା ଯେ ଫିନଲାଣ୍ଡ ସୀମା ରୁଷ ସହ ଲାଗି ରହିଛି । ଏବେ ରୁଷର ଉତ୍ତର ସୀମାରେ ନାଟୋ ନିଜର ସୈନ୍ୟ ମୁତୟନ କରିପାରିବ । ଦ୍ୱିତୀୟ ଯୁଦ୍ଧ ପରଠୁ ଫିନଲାଣ୍ଡ ନିରପେକ୍ଷ ନୀତି ଆପଣାଇ ଆସୁଥିଲେ ମଧ୍ୟ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରର ସହଯୋଗୀ ରହି ଆସିଛି । ଏହି କାରଣରୁ ରୁଷ ଅନେକ ଥର ଫିନଲାଣ୍ଡକୁ ଧମକ ମଧ୍ୟ ଦେଇ ସାରିଛି ।