ପ୍ରାର୍ଥନା ବେଳେ ଆଫଗାନିସ୍ତାନ ମସ୍ଜିଦ୍ରେ ବୋମା ବିସ୍ଫୋରଣ : ୩୩ ମୃତ, ୪୩ ଆହତ
![](https://thetruths.in/wp-content/uploads/2022/04/Explosion-at-Mosque.jpg)
କାବୁଲ : ଭୟଙ୍କର ବିସ୍ଫୋରଣ। ଉତ୍ତରାଞ୍ଚଳ ଆଫଗାନିସ୍ତାନର କୁନ୍ଦୁଜ୍ ପ୍ରଦେଶ ଅନ୍ତର୍ଗତ ଗୋଟିଏ ମସଜିଦରେ ଶୁକ୍ରବାର ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ହେବାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି। ଦିନକ ପୂର୍ବରୁ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିପାଇଁ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି। ହମଲା ପାଇଁ ଆଇଏସଆଇଏସ୍ ନିଜକୁ ଦାୟୀ କରି ବିବୃତି ଜାରି କରିବାର ଦିନକ ପରେ ହିଁ ପୁଣି ଗୋଟିଏ ମସଜିଦରେ ବିସ୍ଫୋରଣ ହୋଇଛି।
ସାମାଜିକ ଗଣମାଧ୍ୟମରେ ତାଲିବାନ ନେତୃତ୍ବାଧୀନ କାମଚଳା ସରକାରର ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଲେଖିଛନ୍ତି, ଆଜି ଅପରାହ୍ଣରେ କୁନ୍ଦୁଜ୍ ପ୍ରଦେଶର ଇମାମ୍ ସାହିବ୍ ଜିଲ୍ଲାରେ ବିସ୍ଫୋରଣ ହୋଇଥିବା ଜାଣି ଆମେ ଦୁଃଖିତ। ବିସ୍ଫୋରଣ ଯୋଗୁଁ, କେତେ ଜଣ ପିଲାଙ୍କ ସମେତ ୩୩ଜଣ ଗ୍ରାମବାସୀ ନିହତ ହୋଇଛନ୍ତି ଏବଂ ଆଉ ୪୩ଜଣ ଆହତ ହୋଇଛନ୍ତି। ‘ସିନ୍ହୁଆ ପ୍ରେସ୍ ଏଜେନ୍ସି’ ରିପୋର୍ଟ ଅନୁସାରେ, ମୁଜାହିଦ୍ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ, ଆକ୍ରମଣ କରିଥିବା ଅପରାଧୀମାନଙ୍କର ବିଚାର ହେବ। ନାମ ଗୋପନ ରଖି ଜଣେ ପ୍ରତ୍ୟକ୍ଷଦର୍ଶୀ ‘ସିନ୍ହୁଆ’କୁ କହିଛନ୍ତି, ଶୁକ୍ରବାର ଅପରାହ୍ଣ ପ୍ରାୟ ୨.୩୦ରେ ଇମାମ୍ ସାହିବସ୍ଥିତ ମୁଲ୍ଲା ସିକନ୍ଦର ମସ୍ଜିଦ୍ରେ ବିସ୍ଫୋରଣ ସଙ୍ଗଠିତ ହୋଇଥିଲା।
ଶୁକ୍ରବାର ପ୍ରାର୍ଥନା ପରେ ପରେ ପବିତ୍ର ରମ୍ଜାନ୍ ମାସ ପାଳିବା ଲାଗି ଦଳେ ଉପାସନାକାରୀ ବିଶେଷ ଧରଣର ଧାର୍ମିକ ରୀତି ‘ଜିକ୍ର’ ଆୟୋଜନ କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ମସ୍ଜିଦ୍ର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଧ୍ବଂସ କରିଥିବା ଉକ୍ତ ବିସ୍ଫୋରଣଟି କେଉଁ ଧରଣର ତାହା ହଠାତ୍ ଜଣାପଡ଼ି ନାହିଁ।