୮ଟି ଗୋରୁ ବୋଝେଇ କଣ୍ଟେନର ଜବତ : ୮ ଶହରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ୪ ଗିରଫ
![](https://thetruths.in/wp-content/uploads/2022/11/Cow-Containers-Seized.jpg)
ଜଳେଶ୍ୱର : ବାଲେଶ୍ୱର ଜିଲାରେ ଥମୁନି ଗୋରୁ ଚୋରା ଚାଲାଣ । ଦୈନିକ କେଉଁଠୁ ନା କେଉଁଠୁ ଗୋରୁ ବୋଝେଇ ଗାଡି ଜବତ ହେଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ସ୍ଥାନରୁ ୮ଟି ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି। ଯେଉଁଥିରୁ ପ୍ରାୟ ୮ ଶହରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଯେ, ବାଲେଶ୍ଵର ଜିଲା ୬୦ନମ୍ବର ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଦଲାଲ ମାନଙ୍କ ଦ୍ୱାରା ଗୋରୁ ଚୋରା ଚାଲାଣ ହେଇ ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ଉପରେ ପଶ୍ଚିମବଙ୍ଗ ପୋଲିସ ରୋକ ଲଗାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୮ଟି କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପଶ୍ଚିମବଙ୍ଗ ଭିତରକୁ ଗାଡି ଗୁଡିକୁ ପଶିବାକୁ ଦେଇନଥିଲା । ଏନେଇ ଖବର ପାଇ ଜଳେଶ୍ୱର ପୋଲିସ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଚଢ଼ାଉ କରି ୫ଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଥିବା ବେଳେ ବେଲିଗୋପିନାଥପୁର ଗ୍ରାମ ନିକଟରୁ ଆଉ ୩ଟି ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଥିଲା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।