ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଖୋ-ଖୋ ଟୁର୍ଣ୍ଣାମେଣ୍ଟ; ଫକୀର ମୋହନ ବିଶ୍ୱବିଦ୍ୟାଳୟ ଚାମ୍ପିୟନ
![](https://thetruths.in/wp-content/uploads/2022/12/Eastern-University-Kho-Kho-Tournament-Champion-1024x552.jpg)
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଠାରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳାବର୍ଗ ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଛି ।
ଯୋଗ୍ୟତା ପର୍ଯ୍ୟାୟ ଓ ନିର୍ଣ୍ଣାୟକ ପର୍ଯ୍ୟାୟ ମ୍ୟାଚ୍ରେ କ୍ରମାଗତ ଭାବରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମ ବଙ୍ଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ବିଶ୍ୱବିଦ୍ୟାଳୟ ବିପକ୍ଷରେ ବିଜୟ ଲାଭ କରି ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି କିଟ୍ (କେଆଇଟି) ବିଶ୍ୱବିଦ୍ୟାଳୟ ରନର୍ସଅପ୍ ତଥା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ହେମଚନ୍ଦ୍ ବିଶ୍ୱବିଦ୍ୟାଳୟ, ଦୁର୍ଗ୍, ଛତିଶଗଡ଼ ତୃତୀୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଏଥିସହିତ ଏହି ୪ଟି ବିଶ୍ୱବିଦ୍ୟାଳୟ ନିକଟ ଭବିଷ୍ୟତରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରର ଖୋ-ଖୋ ଟୁର୍ଣ୍ଣାମେଣ୍ଟରେ ପୂର୍ବାଞ୍ଚଳରୁ ଖେଳିବା ପାଇଁ ତଥା ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ, କୁଳସଚିବ କୁକୁମୀନା ଦାସ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ. ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇ ଥିଲେ ।