ହେପାଜତରେ ଧନେଶ୍ୱର ବେହେରାଙ୍କୁ ପିଟି ପିଟି ମାରିଦେଲେ ବନ କର୍ମଚାରୀ : ପ୍ରତ୍ୟକ୍ଷଦର୍ଶୀ
![](https://thetruths.in/wp-content/uploads/2023/02/Dhaneshwar-Behera.jpg)
ଆଠଗଡ଼ : ଆଠଗଡ଼ ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଧନେଶ୍ୱରକୁ ପିଟି ପିଟି ମାରିଦେଲେ ବନ କର୍ମଚାରୀ । ବଡମ୍ବା ରେଞ୍ଜର, ଏସିଏଫ, ଡିଏଫଓ, ଫରେଷ୍ଟର, ଗାର୍ଡ ସମସ୍ତେ ପଶୁ ପରି ନିର୍ଦ୍ଧୁମ ପିଟି ପିଟି ଧନେଶ୍ୱରଙ୍କର ଜୀବନ ନେଇଗଲେ। ଛାଡ଼ିଦେବାକୁ ସେ ଆକୁଳ ନିବେଦନ କରୁଥିଲେ ବି କେହି ଶୁଣି ନଥିଲେ । ଧନେଶ୍ୱର ବେହେରାଙ୍କର ମୃତ୍ୟୁକୁ ନେଇ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରାଜକିଶୋର ପ୍ରଧାନ ନାମକ ବ୍ୟକ୍ତି।
ସୂଚନା ଯେ, ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ରାଜକିଶୋର ପ୍ରଧାନଙ୍କୁ ଉଠାଇ ନେଇଥିଲେ । ଏବେ ସେ ମୁକୁଳିବା ପରେ ବନ କର୍ମଚାରୀଙ୍କ ଅକଥନୀୟ ନିର୍ଯାତନା ସମ୍ପର୍କରେ ଜଣାଇଛନ୍ତି । ଆଠଗଡ଼ ବନଖଣ୍ଡ ଅଧିନସ୍ଥ ବଡ଼ମ୍ବା ଅଞ୍ଚଳରେ ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଉଠାଇ ନେଇଥିଲା। ସେମାନେ ହେଲେ ଧନେଶ୍ୱର ବେହେରା, ରାଜକିଶୋର ପ୍ରଧାନ, ବିରଞ୍ଜି ଜାନି ଓ ରାଜୀବ ସ୍ୱାଇଁ । ସେମାନଙ୍କୁ ରାତି ସାରା ନିର୍ଯ୍ୟାତନା ଦିଆଯାଇଥିବା ରାଜକିଶୋର ପ୍ରଧାନ କହିଛନ୍ତି। ସେପଟେ ଆଇପିସି ଆର୍ମ ଆକ୍ଟ ଏବଂ ଏସସି, ଏସଟି ଆକ୍ଟରେ ମାମଲା ରୁଜୁ କରିଛି ବଡମ୍ବା ପୋଲିସ । ବଡମ୍ବା ରେଞ୍ଜର, ଆଠଗଡ ର ଦୁଇଜଣ ଏସିଏଫଓଙ୍କ ସମେତ ମୋଟ ୧୪ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ।