ଗଣତନ୍ତ୍ର ଦିବସ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କଲା ଦିଲ୍ଲୀ ପୋଲିସ
ପରେଡ ଅଭ୍ୟାସ ନିମନ୍ତେ ୧୭ ରୁ ୨୧ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ପ୍ରତିବନ୍ଧକ
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ,ପରେଡ୍ ରିହଲର୍ସଲକୁ ସରଳ କରିବା ପାଇଁ ଜାନୁୟାରୀ ୧୭ ରୁ ୨୧ ପର୍ଯ୍ୟନ୍ତ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦିଲ୍ଲୀ ରାଜପଥ-ରାଫି ମାର୍ଗ, ରାଜପଥ-ଜନପଥ, ରାଜପଥ-ମ୍ୟାନ ସିଂ ରୋଡ ଏବଂ ରାଜପଥ-ସି-ଷୋଡଶାଳରେ ପ୍ରତିବନ୍ଧକ ଲଗାଯିବ ଏବଂ ବିଜୟ ଛକ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାକୁ ମଧ୍ୟ ବନ୍ଦ କରାଯିବ ।
ଗୃହ ମନ୍ତ୍ରଣାଳୟର ଅଫିସର ସୂଚନା ଅନୁଯାୟୀ, ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ଦିଲ୍ଲୀରେ ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାର୍ଚିଂ କଂଟିଜେଂଟ ରେଡ ଦୁର୍ଗ ପରିବର୍ତେ ଇଣ୍ଡିଆ ଗେଟ୍ ସି-ହେକ୍ସାଗନରେ ଶେଷ ହେବ । ଦେଶରେ ଗଣତନ୍ତ୍ର ଦିବସ ପାଳନ ସମୟରେ କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ୧ ଲକ୍ଷ ଦର୍ଶକଙ୍କ ବସିବା କ୍ଷମତା ସତ୍ୱେ ୨୫ ହଜାର ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି ଏହଂ ଏହା ଆହୁରି ହ୍ରାସ କରାଯାଇପାରେ ବୋଲି ଅଧିକାରୀ କହିଛନ୍ତି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କେବଳ ୨୬ ଜାନୁଆରୀ ନୁହେଁ, ୨୩ ଜାନୁଆରୀ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ପାଳନ ହେବ । ଏନେଇ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । କେବଳ ଚଳିତ ବର୍ଷ ନୁହେଁ ବରଂ ପ୍ରତିବର୍ଷ ୨୩ ଜାନୁଆରୀ ପରାକ୍ରମ ଦିବସରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ ।