ଯାଞ୍ଚ ହେବ ସମସ୍ତ ଓକିଲଙ୍କ ଡିଗ୍ରୀ ସାର୍ଟିଫିକେଟ, କମିଟି ଗଠନ କଲେ ସୁପ୍ରିମକୋର୍ଟ
![](https://thetruths.in/wp-content/uploads/2022/05/Supremecourt.jpg)
ନୂଆଦିଲ୍ଲୀ : ଯାଞ୍ଚ ହେବ ସମସ୍ତ ଓକିଲଙ୍କ ଡିଗ୍ରୀ ସାର୍ଟିଫିକେଟ । ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ । ଯାଞ୍ଚ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତି, ହାଇକୋର୍ଟର ଦୁଇ ଅବସରପ୍ରାପ୍ତ ବିଚାରପତି, ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଓ ମନିନ୍ଦର ସିଂ, ବାର୍ କାଉନସିଲ ଅଫ୍ ଇଣ୍ଡିଆର ମନୋନୀତ ୩ ସଦସ୍ୟ ରହିବେ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼, ବିଚାରପତି ନରସିମ୍ହା ଏବଂ ବିଚାରପତି ଜେବି ପାରଦୀଓ୍ବାଲାଙ୍କ ପୀଠ ଓକିଲଙ୍କ ଯାଞ୍ଚ ପ୍ରକ୍ରିୟାରେ ଆସୁଥିବା ବାଧାକୁ ଧ୍ୟାନରେ ରଖି ଏହି ଆଦେଶ ପାରିତ କରିଛନ୍ତି। କମିଟି ୩୧ ଅଗଷ୍ଟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କମିଟିରେ ବରିଷ୍ଠ ଓକିଲ ରାକେଶ ଦ୍ବିବେଦୀ ଏବଂ ମନିନ୍ଦର ସିଂହଙ୍କୁ କମିଟିର ସଦସ୍ୟ ଭାବରେ ନାମିତ କରାଯାଇଛି। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ କମିଟିରେ ତିନି ସଦସ୍ୟଙ୍କ ନାମକୁ ନାମିତ କରିବା ପାଇଁ ସ୍ବତନ୍ତ୍ର। ତେବେ ଶେଷ ଆଦେଶ ଅପଲୋଡ ହେବା ପରେ ସଦସ୍ୟଙ୍କ ନାମ ସ୍ପଷ୍ଟ ହେବ।
ପୀଠ ଏହା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି ଯେ କିଛି ଓକିଲ ବିନା ଯାଞ୍ଚରେ ଷ୍ଟେଟ୍ ବାର୍ କାଉନସିଲ୍ର ସଦସ୍ୟ ହୋଇଛନ୍ତି ଏବଂ ଆଶଙ୍କା କରିଛନ୍ତି ଏଭଳି ବ୍ୟକ୍ତି ନ୍ୟାୟିକ ଅଧିକାରୀଙ୍କ ପଦରେ ହୁଏତ କାମ ମଧ୍ୟ କରିଥିବେ। ପୀଠ ଜୋର୍ ଦେଇ କହିଛନ୍ତି ଯେ ସେହି ବ୍ୟକ୍ତିଙ୍କୁ ନ୍ୟାୟିକ ପ୍ରକ୍ରିୟା ପର୍ଯ୍ୟନ୍ତ ପହଞ୍ଚିବା କଥା ନୁହେଁ ଯେଉଁମାନେ ଓକିଲ ବୋଲି କହୁଛନ୍ତି କିନ୍ତୁ ତାଙ୍କ ପାଖରେ ବାସ୍ତବିକ ଶିକ୍ଷାଗତ ଯୋଗ୍ୟତା କିମ୍ବା ଡିଗ୍ରୀ ନାହିଁ। ଏହାସହ ସୁପ୍ରିମକୋର୍ଟ ଯାଞ୍ଚରେ ହେଉଥିବା ବାଧାକୁ ଦୃଷ୍ଟିରେ ରଖି ସବୁ ବିଶ୍ବବିଦ୍ୟାଳୟ ଏବଂ ପରୀକ୍ଷା ବୋର୍ଡଙ୍କୁ ବିନା ଶୁଳ୍କ ନେଇ ଡିଗ୍ରୀ କିମ୍ବା ସତ୍ୟତା ନିଶ୍ଚିତ କରିବା ଦରକାର ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯେ, ଗତ ୨୦୧୫ରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରକୃତ ଓକିଲ ଚିହ୍ନଟ ପାଇଁ ଏହି ନିୟମ ଆଣିଥିଲେ। ଯାହାକୁ ନେଇ ବିଭିନ୍ନ ହାଇକୋର୍ଟଙ୍କ ସାମ୍ନାରେ ନିୟମକୁ ଚାଲେଞ୍ଜ କରାଯାଇଥିଲା ପରେ ଏହା ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା।