ଆଜି ତୃତୀୟ ଦିନିକିଆ : ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଶୁକ୍ରବାର କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡ଼ିୟମ୍ରେ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ଖେଳାଯିବ । ଏହା ପୂର୍ବରୁ ପଡିଥିବା ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବ । ଏହି ସିରିଜରେ ଭାରତ ପୂର୍ବ ଦୁଇଟିଯାକ ମ୍ୟାଚ୍ ଜିତି ସାରିଥିବାର ମୂଳପୋଛ କରିବା ଲାଗି ଉଦ୍ୟମ କରିବ ବୋଲି ଆଶା କରାଯାଉଛି । ଭାରତ ପ୍ରଥମ ଦିନିକିଆକୁ ୭ ଉଇକେଟ୍ରେ ଏବଂ ଦ୍ୱିତୀୟ ଦିନିକିଆକୁ ୩ ଉଇକେଟ୍ରେ ନିଜ ନାମରେ କରିଥିଲା । ସେହିପରି ଶ୍ରୀଲଙ୍କା ଦ୍ୱିତୀୟ ମ୍ୟାଚ୍କୁ ଶେଷ ମୁହୂର୍ତରେ ହାତଛଡ଼ା କରିଥିବାରୁ ଶେଷ ଦିନିକିଆରେ ବିଜୟ ହାସଲ କରି ଆତ୍ମସମ୍ମାନ ରଖିବାକୁ ପୂରା ଉଦ୍ୟମ କରିବ ।
ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ଭଲ ପ୍ରଦର୍ଶନ କରିଛି । ଟିମ୍ରେ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତ ଥିଲେ ବି ଭାରତୀୟ ଯୁବ ଟିମ ଶ୍ରୀଲଙ୍କାରେ ଶୃଙ୍ଖଳା ମୂଳପୋଛ କରି ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତ ବର୍ତ୍ତମାନ ଆଇସିସି ଦିନିକିଆ ମାନ୍ୟତାରେ ୧୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ୧୧୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଏବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି। ଏହି ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଯଦି ଓ୍ଵେଷ୍ଟଇଣ୍ଡିଜ୍ ଅଷ୍ଟ୍ରେଲିଆକୁ ହରାଇଦିଏ ତେବେ ଭାରତ ମାନ୍ୟତାର ତୃତୀୟ ସ୍ଥାନକୁ ଉନ୍ନିତ ହେବ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନକୁ ଖସି ଆସିବ। ଏହି ସିରିଜ୍ରେ ଭାରତର ଅଧିନାୟକ ଦାୟିତ୍ଵ ସମ୍ଭାଳୁଥିବା ଶିଖର ଧାଓ୍ଵନ ଭଲ ଫର୍ମରେ ଅଛନ୍ତି କ୍ରମାଗତ ରନ କରୁଛନ୍ତି। ଏହି କାରଣରୁ ତାଙ୍କର ମାନ୍ୟତାରେ ଫାଇଦା ହୋଇଛି। ସେ ୧୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଟିମ୍ ଯେଉଁଭଳି ଫର୍ମରେ ଅଛି ଦଳ ତୃତୀୟ ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଧାଓ୍ଵନ କଲୋମ୍ବୋରେ ଖେଳାଯାଉଥିବା ତିନି ମ୍ୟାଚ୍ର ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅପରାଜିତ ୮୬ ରନ କରିଥିଲେ। ଏହି ଇନିଂସ ଦମରେ ତାଙ୍କର ରେଟିଂ ପଏଣ୍ଟ ୭୧୨ରେ ପହଞ୍ଚିଛି। ସେ ଦୁଇଟି ସ୍ଥାନ ଉପରକୁ ଉଠି ୧୬ମରେ ପହଞ୍ଚିଛନ୍ତି। କୋହଲିଙ୍କ ରେଟିଂ ପଏଣ୍ଟ ୮୪୮ ରହିଛି।