ଦିନକ ପରେ ବଡ଼ଦିନ ବା ଖ୍ରୀଷ୍ଟମାସ। ଉତ୍ସବମୁଖର ବାଲେଶ୍ୱର ସହର
![](https://thetruths.in/wp-content/uploads/2022/12/Catholic-Curch-X-mas-Day-1024x516.jpg)
ବାଲେଶ୍ୱର : ଆଉ ଦିନକ ପରେ ପାଳିତ ହେବ ବଡ଼ଦିନ ବା ଖ୍ରୀଷ୍ଟମାସ । ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଜନ୍ମଦିନ ବଡ଼ଦିନ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଏହି ପବିତ୍ର ଦିନକୁ ପାଳନ କରିବା ଲାଗି ସଜେଇ ହେବା ସହ ଉତ୍ସବମୁଖର ହୋଇଉଠିଛି ବାଲେଶ୍ୱର ସହର । ସହରର କ୍ୟାଥୋଲିକ ଚର୍ଚ୍ଚ, ବାପଟିଷ୍ଟ ଚର୍ଚ୍ଚ ପ୍ରଭୃତି ସହିତ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କର ଘର ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛିି । ସବୁଠି ପ୍ରଦାନ ହେଉଛି ହେପି ଖ୍ରୀଷ୍ଟମାସ ବା ମେରି ଖ୍ରୀଷ୍ଟମାସର ଶୁଭେଚ୍ଛା ।
ସେହିପରି ରାସ୍ତାକଡ଼ରେ ଖ୍ରୀଷ୍ଟମାସ୍ ପସରା । ଭଳିକି ଭଳି କ୍ରୀସମାସ୍ ଟ୍ରୀ । ଜିଙ୍ଗଲ୍ ବେଲ୍, ଲାଇଟ୍ ଷ୍ଟାର, ଡୋର ଷ୍ଟିକର, ସାଣ୍ଟା ଟୟ, ସାଣ୍ଟା ଟୋପି, ହ୍ୟ।ଙ୍ଗିଙ୍ଗ୍ ଡେକୋରେସନ୍ ଆଇଟମ୍, ଏକ୍ସ-ମାସ୍ କାର୍ଡ, କ୍ୟାଣ୍ଡେଲ୍, ପୋଷ୍ଟର ଏମିତି କେତେ କଣ । ଏସବୁର ସମ୍ଭାର କେବଳ ଏକ୍ସ ମାସ୍ ସେଲିବ୍ରେସନ୍ ପାଇଁ । ବଡ଼ ଦିନକୁ ଆଖି ଆଗରେ ରଖି ରାସ୍ତା କଡ଼ରେ ମେଲିଛି ସିଜନ୍ ସେଣ୍ଟରର ପସରା ।
ଆଉ ସେଠାରେ ରହିଛି ପିଲାଙ୍କ ପାଇଁ କଣ୍ଢେଇ, ସାଣ୍ଟା ଡ୍ରେସ୍, ଟକୋଲେଟ୍, ଗିଫ୍ଟ ସହ ବଡ଼ଙ୍କ ପାଇଁ ବି ନାନା ରକମର ଫ୍ୟାନ୍ସି ଆଇଟମ୍ । ଖ୍ରୀଷ୍ଟମାସ ଟ୍ରୀ ସହ ଘରକୁ ସଜାଇବା ପାଇଁ ଅନେକ ପ୍ରକାରର ରଙ୍ଗୀନ୍ ବଲ୍, ଘଣ୍ଟି, ଜରିଲଗା ମାଳା, ଝୁମର୍ ବି ରହିଛି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଚିଛି ସ୍ନୋ ଫଲିଂ ଟ୍ରି ସାଙ୍ଗକୁ ପାରାଚ୍ୟୁଟ୍ ସାନ୍ତା ।
ପବିତ୍ର ବଡ଼ଦିନର ଶୁଭେଛା ଜଣାଇବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ସହରର ବିବେକାନନ୍ଦ ମାର୍ଗସ୍ଥିତ କ୍ୟାଥଲିକ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ରୋମାନ କାଥୋଲିକ ଡାଇଓସିସ୍ର ପ୍ରଶାସନ ଫାଦର ଆଇଜାକ ପୁତନାଙ୍ଗେଡ଼ି, ଚର୍ଚ୍ଚର ମୁଖ୍ୟ ପୁରୋହିତ ଫାଦର ସାଜି ଯୋଶେଫ ଏଥିରେ କେକ୍ କାଟିବା ସହ ବଡ଼ଦିନ ପାଳନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଖ୍ରୀଷ୍ଟମାସ ପର୍ବ ସାରା ବିଶ୍ୱରେ ଶାନ୍ତି ଓ ଭାଇଚାରାର ସନ୍ଦେଶ ପ୍ରଚାର କରିଥାଏ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଖ୍ରୀଷ୍ଟିଆନ ମାନେ ଏକ ମାସ ପୂର୍ବରୁ ଆଧ୍ୟାତ୍ମିକ ପାର୍ଥନା ଓ ଦିବ୍ୟଯଜ୍ଞବଳୀ ସମର୍ପଣ କରି ଖ୍ରୀଷ୍ଟମାସ ପାଳନ ପାଇଁ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥାଆନ୍ତି ତାହା ବଡ଼ଦିନରେ ସମାପ୍ତ ହୋଇଥାଏ ବୋଲି ଅତିଥିମାନେ ଏହି ଅବସରରେ କହିଥିଲେ । କାର୍ଯ୍ୟକ୍ରମରେ ବହୁ ଖ୍ରୀଷ୍ଟଧର୍ମାବଲମ୍ବୀ ଉପସ୍ଥିତ ରହି ଫାଦରଙ୍କ ବାଣୀକୁ ଶୁଣିବା ସହ ବାଇବେଲ ପାଠ ଏବଂ କାରୋଲ ସଂଗୀତ ଗାନ କରିଥିଲେ । ନିକୁ ଯୋଶେଫ ଉତ୍ସବ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ କ୍ୟାଥୋଲିକ ଚର୍ଚ୍ଚ ପରିସରରୁ ଖ୍ରୀଷ୍ଟଧର୍ମୀ ଯୁବତୀଯୁବକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ସହରବାସୀଙ୍କୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଚର୍ଚ୍ଚଗୁଡିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ତେବେ ୨୪ ତାରିଖ ମଧ୍ୟରାତ୍ରୀରେ ବାଲେଶ୍ୱର କ୍ୟାଥୋଲିକ ଚର୍ଚ୍ଚରେ ବିଶେଷ ପାର୍ଥନା ବିଧି ସମ୍ପାଦନ ହେବ ବୋଲି ଚର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଦେବାଶିଷ ରେଜା, ଦୀନେଶ କୁମାର ଗିରି, ସଞ୍ଜୟ କୁମାର ଶାହା, ରାଜା ଶାହା, ଭିନ୍ସେନ୍ ଜୋଶେଫ, ଅଜୟ ଦାସ, ସାଗର ଦାସ, ସୁଜିତ୍ ଶାହା, ରାଜେଶ ବିଶ୍ୱାଳ, ଇନ୍ଦ୍ରଜିତ୍ ଶାହା, ସିଲୁ ଶାହା, ସାଗର ମଲ୍ଲିକ, ଗାୟତ୍ରୀ ଶାହା, ଅର୍ଚ୍ଚନା ଲିମା, ରୂପା ଭଟ୍ଟର, ସୁବିର ଗୋମଶଙ୍କ ସମେତ ଷ୍ଟାର କ୍ଲବର ସଦସ୍ୟମାନେ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।