କାବୁଲ ବିମାନବନ୍ଦରରେ ନଥିବା ଭିଡ଼, ଗୁଳିମାଡ଼ରେ ୫ ମୃତ
![](https://thetruths.in/wp-content/uploads/2021/08/Kabul-Airport-Crowds.jpg)
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ କବଜା କରିବା ସହ କ୍ଷମତାକୁ ଆସିବା ପରେ ଏବେ ସେମାନଙ୍କ ନିର୍ଯାତନାରୁ ବଞ୍ଚିବା ପାଇଁ ଆଫଗାନବାସୀ ଘର ଛାଡ଼ୁଛନ୍ତି। ନିଜ ନିଜର ପରିବାର ସହ ଅନ୍ୟ ଦେଶକୁ ଯିବା ପାଇଁ ଆଫଗାନବାସୀ ଏବେ କାବୁଲ ବିମାନବନ୍ଦରରେ ପହଞ୍ଚିଛନ୍ତି। ଫଳରେ କାବୁଲ ବିମାନବନ୍ଦରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ଲୋକ ସିଧା ରନୱେକୁ ଆସି ବିମାନରେ ଚଢ଼ିବାକୁ ଉଦ୍ୟମ କରୁଛନ୍ତି। ଏପରି ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବିମାନବନ୍ଦରକୁ ଜଗିଥିବା ଆମେରିକୀୟ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଥିଲା। ମାତ୍ର ଏହି ଗୁଳି ବାଜି ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
This is, perhaps, one of the saddest images I've seen from #Afghanistan. A people who are desperate and abandoned. No aid agencies, no UN, no government. Nothing. pic.twitter.com/LCeDEOR3lR
— Nicola Careem (@NicolaCareem) August 16, 2021
ଭାଇରାଲ୍ ହେଉଥିବା ଏକ ଭିଡିଓରେ କାବୁଲ ବିମାନବନ୍ଦର ରେଳ ଷ୍ଟେସନ ଭଳି ମନେ ହେଉଛି। ଆଫଗାନିସ୍ତାନ ଛାଡ଼ିବା ପାଇଁ ଆଉ ମାତ୍ର ଅଳ୍ପ କିଛି ବିମାନ ଉଡ଼ାଣ କରିବାକୁଥିବାରୁ ଲୋକେ ଆଗ ଯିବା ପାଇଁ ବିମାନ ଉପରେ ଚଢ଼ୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କିଛି ସମୟ ତଳେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆମେରିକୀୟ ସେନା ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିବା ଖବର ମିଳିଥିବା ବେଳେ ଏବେ କାବୁଲ ବିମାନବନ୍ଦରରେ ଗୁଳି ବାଜି ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆମେରିକୀୟ ସେନା ଓ ତାଲିବାନୀ ଯୋଦ୍ଧାଙ୍କ ମଧ୍ୟରେ ଗୁଳି ବିନିମୟ କାରଣରୁୁ ଏପରି ଘଟିଥିବା ନେଇ ସୂଚନା ମିଳିଛି। ଏବେ ବି ବିମାନବନ୍ଦରରେ ଗୁଳି ବିନିମୟ ଜାରି ରହିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ତାଲିବାନ କ୍ଷମତାକୁ ଆସିବା ପରେ କାବୁଲ ଏୟାରସ୍ପେସ୍ ବନ୍ଦ କରିଦିଆଯାଇଛି। ଏବେ କାବୁଲ ବିମାନବନ୍ଦରକୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । କାବୁଲର ଏୟାରସ୍ପେସ୍ ବନ୍ଦ ଥିବାରୁ ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଅଲଗା ଆକାଶ ମାର୍ଗ ଦେଇ ଆସିବାର ସମ୍ଭାବନା ରହିଛି। ଏଆଇ-୧୨୬(ଚିକାଗୋ-ନୂଆଦିଲ୍ଲୀ) ଏବଂ ଏଆଇ-୧୭୪ (ସାନ ଫ୍ରାନ୍ସିସ୍କୋ-ନୂଆଦିଲ୍ଲୀ) ବିମାନ ଏବେ ଇନ୍ଧନ ଭରିବା ପାଇଁ ଏକ ଗଲ୍ଫ ରାଷ୍ଟ୍ରକୁ ଯିବ ବୋଲି ଜଣାପଡ଼ିଛି। ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସମସ୍ତ ବିମାନକୁ ଅଲଗା ମାର୍ଗ ଦେଇ ଯିବାକୁ କହିଛି। ଏବେ ଆଗାମୀ ସୂଚନା ପର୍ଯ୍ୟନ୍ତ କୌଣସି ବିମାନ ଆଫଗାନିସ୍ତାନ ଏୟାରସ୍ପେସ ଦେଇ ଯାତ୍ରା କରିବ ନାହିଁ।