କରୋନା ଭେକସିନ ‘ଭିରାଫିନ୍’କୁ ଭାରତରେ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଏହାରି ମଧ୍ୟରେ ଦେଶରେ ଟିକାକରଣ ଜାରି ରହିଥିବା ବେଳେ ଭାରତରେ ଆଉ ଏକ ଟିକାକୁ ମଞ୍ଜୁରୀ ମିଳିଛି । କୋଭିସିଲଡ୍, କୋଭାକ୍ସିନ୍ ଏବଂ ସ୍ପୁଟନିକ୍-ଭି ପରେ ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଡ୍ ମେଡିସିନ୍ ‘ଭିରାଫିନ୍’କୁ ଅନୁମତି ମିଳିଛି । ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଜାଇଡୁସ୍ କାଡିଲାର ମେଡିସିନ୍ ‘ଭିରାଫିନ୍’କୁ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି ।
ଜାଏଡସ୍ କାଡିଲାର ମେଡିସିନ୍ ଭିରାଫିନ୍ର ମାତ୍ର ଗୋଟିଏ ଡୋଜ୍ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ । ଭିରାଫିନ୍ ମେଡିସିନ୍ ମାନବ ଶରୀରରେ ପ୍ରାୟ ୯୧.୧୫ ପ୍ରତିଶତ କାମ କରୁଥିବା ବିଶେଷଜ୍ଞମାନେ କହିଥିଲେ । ଏହା ପରେ ଜାଏଡସ୍ କାଡିଲାର ମେଡିସିନ୍ ଭିରାଫିନ୍କୁ ଭାରତରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମଗାଯାଇଥିଲା । ଶୁକବ୍ରାର ଜାଏଡସ୍ କାଡିଲାର ମେଡିସିନ୍ ଭିରାଫିନ୍କୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) । ଏହି ମେଡିସନ୍ ମାତ୍ର ୭ ଦିନ ମଧ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସୂଚନା ଯେ, ଭାରତରେ ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ନିର୍ମିତ କୋଭିସିଲ୍ଡ, ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଏବଂ ଋଷ ନିର୍ମିତ ଭ୍ୟାକସିନ୍ ସ୍ପୁଟନିକ୍-ଭି ଭ୍ୟାକସିନକୁ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ଭାରତରେ କୋଭିସିଲଡ୍ ଏବଂ କୋଭାକ୍ସିନ୍ ଟିକାକରଣ ଜାରି ରହିଛି ।