ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ବିରାର ସ୍ଥିତ ବିଜୟ ବଲ୍ଲଭ ହସପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି। ଅଗ୍ନିକାଣ୍ଡରେ ୧୩ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଟ୍ୱିଟ୍ କରି ପୀଡିତ ପରିବାରଙ୍କୁ କ୍ଷତିପୂରଣ ଘୋଷଣା କରାଯାଇଛି। ଟ୍ୱିଟ୍ ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ଫଣ୍ଡରୁ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ପିଏମଓ ତରଫରୁ ଟ୍ୱିଟ କରି କୁହାଯାଇଛି ପ୍ରଧାନମନ୍ତ୍ରୀ ବିରାର ହସ୍ପିଟାଲ ଅଗ୍ନିକାଣ୍ଡରେ ଜୀବନ ହରାଇଥିବା ରୋଗୀଙ୍କ ପରିବାର ପାଇଁ ସାନ୍ତ୍ୱନା ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଟ୍ୱିଟରେ ଘୋଷଣା କରାଯାଇଛି ଯେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।
ସୂଚନା ଯେ, ବିଜୟ ବଲ୍ଲଭ ହସ୍ପିଟାଲରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ହସ୍ପିଟାଲ ଆଇସିୟୁରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ ୧୩ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଅଗ୍ନିକାଣ୍ଡ ସମୟରେ ପାଖାପାଖି ୯୦ ରୋଗୀ ଭର୍ତ୍ତି ଥିଲେ। ନିଆଁ ଲାଗିବା ପରେ ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ହସ୍ପିଟାଲ କର୍ମଚାରୀ ତୁରନ୍ତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏପଟେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଘଟଣା ବେଳେ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ। କିନ୍ତୁ ହସ୍ପିଟାଲ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।