ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ ନିର୍ମାଣ ଡିସେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ
![](https://thetruths.in/wp-content/uploads/2022/09/Chief-Secretary-Suresh-Chandra-Mohapatra-1024x682.jpg)
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଶଣୀୟ ଏ୍ୟୌତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯଇଥିବା ପ୍ରକଳ୍ପର କାର୍ଯ୍ୟାୟନରେ ବେଶ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷ ଡ଼ିସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ରଚିତ ପୁସ୍ତକ, ତାଙ୍କର କର୍ମମୟ ଜୀବନ, ସମର୍ପିତ ସେବା, ବନ ବିଦ୍ୟାଳୟରେ ଶିକ୍ଷାଦାନ, ସ୍ୱାଧିନତା ଆଲୋଚନାରେ ସକ୍ରିୟ ଭୁମିକା ଏବଂ ତତ୍କାଳୀନ ସମୟ ସମ୍ବନ୍ଧିତ ସ୍ମାରକୀମାନ ସ୍ଥାନିତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗୋପବନ୍ଧୁଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ କାର୍ଯ୍ୟ ସଠିକ୍ ଭାବେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଜନ୍ମପୀଠ ଓ ସଂଗ୍ରହାଳୟକୁ ଏକ ଆକର୍ଶଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ପର୍ଯ୍ୟଟକ ସୁବିଧାକେନ୍ଦ୍ର, ସୂଚନା କେନ୍ଦ୍ର, ଜାତୀୟ ରାଜପଥ ନିକଟରେ ସୁଦୃଶ୍ୟ ହୋଡିଂ, ଆଦି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜନ୍ମପୀଠ ସହ, କରାଯାଉଥିବା ବିଭିନ୍ନ ସୁବିଧାର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସୁଆଣ୍ଡୋ ଗ୍ରାମ ନିକଟସ୍ଥ ଭାର୍ଗବୀ ନଦୀରେ ନଦୀ-ସମ୍ମୁଖ ବିକାଶ ସହ ଭାସମାନ ଜେଟ୍ଟି ଏବଂ ନୌବିହାର ସୁବିଧା କରାଇବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ପ୍ରକଳ୍ପର ସଦ୍ୟତନ ସ୍ଥିତି ଉପସ୍ଥାପନ କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୁଦନ ପାଢ଼ୀ ଜଣାଇଥିଲେ ଯେ ବର୍ତମାନ ସୁଦ୍ଧା ଉତ୍କଳମଣିଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ ଏବଂ ସଂଗ୍ରହାଳୟ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଘର ପାଖରେ ଥିବା ପୁଷ୍କରଣୀର ବିକାଶ ମଧ୍ୟ କରାଯାଇଛି । ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ର, ଫୁଡ୍ କୋର୍ଟ ଏବଂ ସୂଚନା କେନ୍ଦ୍ରର କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ପୈତୃକ ବାସସ୍ଥାନରେ ସ୍ଥାପନ କରାଯିବାକୁ ଥିବା ୧୫ ଫୁଟର ସୁନ୍ଦର ପ୍ରତିମୂର୍ତି ଏବଂ ଏହାର ପ୍ଲାଟଫର୍ମ କାର୍ଯ୍ୟ ଆଗେଇ ଚାଲିଛି । ବର୍ତମାନ ସୁଆଣ୍ଡୋ ଗ୍ରାମ ରାସ୍ତାର ବିକାଶ ଏବଂ ଗ୍ରାମରେ ଭୁତଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କାର୍ଯ୍ୟ ଚାଲୁରହିଛି । ସମୁଦାୟ ପ୍ରକଳ୍ପରେ ପ୍ରାୟ ୨୫.୨୫ କୋଟି ଟଙ୍କା ବିନିଯୋଗ କରାହେଉଛି । ଏଥି ପାଇଁ ଓଡ଼ିଶା ଖଣି ନିଗମ ଆର୍ôଥକ ସହାୟତା ଯୋଗାଉଛନ୍ତି । ଇତି ମଧ୍ୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ସ୍ମାରକୀ ଟ୍ରଷ୍ଟ ଗଠନ କରାଯାଇଛି । ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ପୁର୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୀର ଜିଲାପାଳ ସମର୍ଥ ବର୍ମା ଭିଡିଓ କନ୍େଫରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଅବଗତ କରାଇଥିଲେ ।