କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ : ଅଧ୍ୟକ୍ଷା ରହିବେ ସୋନିଆ ଗାନ୍ଧୀ
![](https://thetruths.in/wp-content/uploads/2022/03/Sonia-Gandhi-1024x683.jpg)
ନୂଆଦିଲ୍ଲୀ : ନିକଟରେ ପାଞ୍ଚଟି ରାଜ୍ୟରେ ପରାଜୟ ପରେ ସୋନିଆ ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସମସ୍ତଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା । ଅନ୍ୟପକ୍ଷରେ ସୋନିଆ ଗାନ୍ଧୀଙ୍କ ଅଫର ପରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଅଜୟ ମାକେନ, ଆନନ୍ଦ ଶର୍ମାଙ୍କ ମନୋଭାବ ନରମ ହୋଇଛି ଓ ସେମାନେ କହିଛନ୍ତି ଯେ ଆମର ଉପଦେଶ ଦଳର ମଙ୍ଗଳ ପାଇଁ, ଆମକୁ ବିରୋଧୀ କିମ୍ବା ଶତ୍ରୁ ଭାବରେ ବିବେଚନା କରାଯିବା ଉଚିତ ନୁହେଁ । କଂଗ୍ରେସ ଦଳ ଖୁବ୍ ଶୀଘ୍ର ଏକ ଚିନ୍ତନ ଶିବିର ଡାକିବ ।
ପାଞ୍ଚଟି ରାଜ୍ୟରେ ପରାଜୟ ପରେ ରବିବାର ଦିନ ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟିର (ସିଡବ୍ଳ୍ୟୁସି) ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ଛତିଶଗଡ଼ ସିଏମ ଭୁପେଶ ବାଗେଲ, ରାଜସ୍ଥାନ ସିଏମ ଅଶୋକ ଗେହଲୋଟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ, ହରିଶ ରାୱତ, ରାଜୀବ ଶୁକ୍ଳା, ପ୍ରମୋଦ ତିୱାରୀଙ୍କ ପରି ଅନେକ ନେତା ଉପସ୍ଥିତ ଥିଲେ । ଏହି ବୈଠକରେ ଅଧୀର ରଂଜନ ଚୌଧୁରୀ, ଦେବେନ୍ଦ୍ର ଯାଦବ, ଆନନ୍ଦ ଶର୍ମା, ଦିଗବିଜୟ ସିଂ, ଅଜୟ ମାକେନ୍ ଏବଂ ଗୁଲାମ ନବୀ ଆଜାଦ ମଧ୍ୟ ଯୋଗ ଦେଇଥିଲେ । ସୂଚନାନୁସାରେ, ଏହି ସଭାରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ସଂଗଠନର ସ୍ୱାର୍ଥରେ ଯାହା କିଛି କରାଯାଇପାରିବ, କିନ୍ତୁ ଅଧିକାଂଶ ସଦସ୍ୟ କହିଛନ୍ତି ଯେ ସୋନିଆ ଅଧ୍ୟକ୍ଷା ବନି ରହିବେ । ବୈଠକ ପରେ ରାଜୀବ ଶୁକ୍ଲା କହିଛନ୍ତି ଯେ ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ଜାରି ରଖିବା ଉଚିତ ବୋଲି ସମସ୍ତେ କହିଛନ୍ତି ।
ସୂଚନା ଯେ, ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଗୋଟିଏ ଦିନ ପୂର୍ବରୁ ଗଣମାଧ୍ୟମର ଏକ ବିଭାଗ ରିପୋର୍ଟ କରିଥିଲା ଯେ ଗାନ୍ଧୀ ପରିବାର ପାର୍ଟି ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇପାରନ୍ତି, ଯଦିଓ କଂଗ୍ରେସ ଏହି ଖବରକୁ ଆନୁଷ୍ଠାନିକ ଭାବେ ଅସ୍ୱୀକାର କରି ଏହାକୁ ଭୁଲ ବୋଲି କହିଥିଲା ।