ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ମୋହନ ମାଝୀ
ଭୁବନେଶ୍ୱର : ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ମୋହନ ମାଝୀ। ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା ମୋହନ ମାଝୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବୁଧବାର ଅପରାହ୍ନ ୫ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ସେ ମଙ୍ଗଳବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ତାଙ୍କ ସହ ସମସ୍ତ ୭୮ ଜଣ ବିଜେପି ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ସେ ରାଜ୍ୟପାଳଙ୍କୁ ଅବଗତ ଜଣାଇଛନ୍ତି। ଏଥିସହ ୩ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଥିବାର ମଧ୍ୟ ଗୋଟିଏ ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ସମୟରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଆଉ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ରହିଥିଲେ।
ସୂଚନା ଯେ, ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ମୋହନ ମାଝୀ ବିଜେପି ପକ୍ଷରୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ତେବେ ଓଡ଼ିଶାରେ ପ୍ରଥମଥର ପାଇଁ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ପାଟଣାଗଡ଼ର ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ହୋଇଛି।