ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି : ଦୋଷୀଙ୍କୁ ମିଳିବ ଦଣ୍ଡ
![](https://thetruths.in/wp-content/uploads/2021/12/CM-Naveen-Pattnaik-2-1024x576.jpg)
ଭୁବନେଶ୍ୱର : କଳାହାଣ୍ଡି ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ୨ ମାସ ବିତିବା ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ମମିତା ମେହେର ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ସେ ଶୁକ୍ରବାର ବିଧାନସଭାରେ ବିବୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି, “ଘଟଣାକୁ ଯେମିତି ରାଜନୀତିକରଣ କରାଯାଉଛି, ତାହା ମୋତେ ବ୍ୟଥିତ କରୁଛି । ପରିବାର ଲୋକଙ୍କ ନିବେଦନ ସତ୍ୱେ ରାଜନୀତିକରଣ ଚାଲୁ ରହିଛି । ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ନ୍ୟାୟ ପ୍ରତି ମୁଁ ସର୍ବଦା କାର୍ଯ୍ୟରତ । ବିନା ଭୟ ଓ ଦ୍ୱନ୍ଦ୍ୱରେ ପୁଲିସ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ପ୍ରମାଣ ଥିଲେ ଯିଏ ହେଉନା କାହିଁକି କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅବସରପ୍ରାପ୍ତ ଜିଲ୍ଲା ଜଜ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ । ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର । ନ୍ୟାୟିକ ତତ୍ୱାବଧାନରେ ତଦନ୍ତ ଚାଲିଛି, ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥା ରହୁ । କିଛି ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ । ଗୃହକୁ ଜଣେ ସଦସ୍ୟଙ୍କୁ ଆସିବାକୁ ବାଧା ଦିଆଯାଉଛି । ଏହା ଖରାପ ପରମ୍ପରା ସୃଷ୍ଟି କରୁଛି । ବିରୋଧୀଙ୍କୁ ନିବେଦନ କରୁଛି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ । ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ମୋ ସରକାର ଅଙ୍ଗିକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଛନ୍ତି ।