ଚଣ୍ଡିଗଡ଼ ଏମଏମଏସ ମାମଲା : ଶିମଲାରୁ ଗିରଫ ହେଲେ ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକ
![](https://thetruths.in/wp-content/uploads/2022/09/Chandigarh-MMS-Case.jpg)
ଚଣ୍ଡିଗଡ଼ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଭିଡିଓ ଲିକ୍ ମାମଲାରେ ଶିମଲାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଏହା ହେଉଛି ଦ୍ୱିତୀୟ ଗିରଫ । ଏହାପୂର୍ବରୁ ପଞ୍ଜାବ ପୋଲିସ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଗିରଫ କରିଥିଲା । ଛାତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ହଷ୍ଟେଲରେ ଅନ୍ୟ ଛାତ୍ରୀ ମାନେ ଗାଧୋଇବାର ଭିଡିଓ ବନାଇ ଶିମଲାରେ ରହୁଥିବା ତାଙ୍କ ପ୍ରେମିକଙ୍କ ନିକଟକୁ ପଠାଇଥିଲେ । ତେବେ ପୋଲିସ ଓ ବିଶ୍ୱବିଦ୍ୟାଳୟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଶ୍ୱବିଦ୍ୟାଳୟର ପ୍ରୋ-ଚାନସିଲର କହିଛନ୍ତି ଯେ ଅଭିଯୁକ୍ତ ଛାତ୍ରୀ କେବଳ ନିଜେ ଭିଡିଓ ବନାଇ ପ୍ରେମିକକୁ ପଠାଇଥିଲେ ।
ଅଭିଯୁକ୍ତ ଯୁବକଙ୍କୁ ଖୋଜିବା ପାଇଁ ପଞ୍ଜାବ ପୋଲିସ ଶିମଲାରେ ପହଞ୍ଚିଥିଲା । ଝିଅଟି ମୋବାଇଲରେ ଅଭିଯୁକ୍ତ ଯୁବକଙ୍କ ଫଟୋ ମଧ୍ୟ ଦେଖାଇଥିଲା । ପଞ୍ଜାବ ପୋଲିସ କହିଛି ଯେ ଶିମଲାରେ ରହୁଥିବା ଅଭିଯୁକ୍ତ ଯୁବକଙ୍କୁ ଛାତ୍ରୀ ଜଣକ ଭଲଭାବେ ଜାଣିଛନ୍ତି । ପୋଲିସ କହିଛି ଯେ ଛାତ୍ରୀଙ୍କ ମୋବାଇଲର ଫୋରେନସିକ୍ ପରୀକ୍ଷା ପରେ ବାକି ତଥ୍ୟ ବାହାରକୁ ଆସିବ ।
ଏହି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଭଗବତ ମାନ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଣଜିତ୍ ରଂଜନ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରି ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ କ୍ୟାମ୍ପସ ପରିଦର୍ଶନ କରିବା ସହ ଏହାର ସମ୍ପୂର୍ଣ୍ଣ ତଥ୍ୟ ନେବା ଉଚିତ୍ । ସେ କହିଛନ୍ତି କେବଳ ଟ୍ୱିଟ୍ କରି ଏହାକୁ ଅଣଦେଖା କରିପାରିବେ ନାହିଁ । ସେ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଓ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।
କଂଗ୍ରେସ ନେତା କହିଛନ୍ତି, ଏହା ଟ୍ୱିଟର-ଟ୍ୱିଟର ଖେଳିବାର ସମୟ ନୁହେଁ । ଏହା ମହିଳା ଛାତ୍ରମାନଙ୍କ ସହ ଜଡିତ ଏକ ବିଷୟ ଓ ଏକ ଗମ୍ଭୀର ବିଷୟ । ଗୋଟିଏ ପଟେ ଉଚ୍ଚ ସ୍ତରୀୟ ତଦନ୍ତର ଆଲୋଚନା ହେଉଛି ଓ ଅନ୍ୟ ପଟେ ବିଶ୍ୱବିଦ୍ୟାଳୟର ପ୍ରୋ ଚାନସିଲର କହିଛନ୍ତି ଯେ କିଛି ହୋଇ ନାହିଁ । ଏଭଳି ହେଲେ କିପରି ଯାଞ୍ଚ କରାଯିବ? କହିରଖୁଛୁ ଯେ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ କାର୍ଯ୍ୟାନୁଷ୍ଠାନ ଦାବିରେ ବିରୋଧ ଲଗାତାର ପଦର୍ଶନ କରୁଛନ୍ତି । ଏଥି ସହିତ ମିଡିଆ ରିପୋର୍ଟ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଦୁଇ ଦିନ ପାଇଁ କ୍ଲାସ ବନ୍ଦ ରହିବ ।