ବାଲେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱାମୀ ଓ ସ୍ତ୍ରୀ ଦୁଇଟି ଘର ହାତେଇବା ଘଟଣା, ତତ୍କାଳୀନ ପିଇଓ ନିଲମ୍ବିତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜନେତା ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ଦୁଇ ଦୁଇଟି ଘରକୁ ଗୋଟିଏ ପରିବାରର ସ୍ୱାମୀ ଓ ସ୍ତ୍ରୀ ହାତେଇବା ଘଟଣା ନେଇ ଜିଲାପାଳଙ୍କ ଠାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତଦନ୍ତ ହୋଇ ତତ୍କାଳୀନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଣି (ପିଇଓ) ଶାନ୍ତିଲତା ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାର ଜିଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଯେ, ନୀଳଗିରି ବ୍ଲକର ବରହମପୁର ପଞ୍ଚାୟତ ଅନ୍ତର୍ଗତ ବରହମପୁର ଗ୍ରାମର ପ୍ରତାପ ବେହେରାଙ୍କ ପୁଅ ପ୍ରଦୀପ ବେହେରା ନିଜ ଆଧାର କାର୍ଡ଼ ଦେଇ ନିଜ ନାମରେ ୨୦୧୭/୧୮ ଆର୍ôଥକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ କାର୍ଯ୍ୟାଦେଶ ପାଇ ଘର ସମ୍ପୂର୍ଣ୍ଣ କରି ସମସ୍ତ ବିଲ୍ ଉଠାଇ ଥିଲେ । ପୁଣି ଉକ୍ତ ପଞ୍ଚାୟତର ଭୋଗଦିଆ ଠାରେ ଚଞ୍ଚକତା କରି ନିଜ ସ୍ତ୍ରୀ ଅଞ୍ଜଳୀଙ୍କ ଆଧାର କାର୍ଡ଼ ଦେଇ ୨୦୨୧-୨୨ ଆର୍ôଥକବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ୟ ଏକ ଘର ନେବାରେ ସକ୍ଷମ ହୋଇଥିଲେ । ତେବେ ଗୋଟିଏ ପରିବାରର ସ୍ୱାମୀ ଓ ସ୍ତ୍ରୀ ଦୁଇ ଦୁଇଟି ଘର ହାତେଇଥିବା ଘଟଣାରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଓ ଗ୍ରାମବାସୀ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ।