ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୪ ବେପାରୀ ଗିରଫ
![](https://thetruths.in/wp-content/uploads/2023/04/Cannabis-Seized.jpeg)
ଜଳେଶ୍ବର : ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ୍। ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ସୂଚନା ପାଇ ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପୋଲିସ ଚଢଉ କରି ଗଞ୍ଜେଇ ସମେତ ଟ୍ରକକୁ ଜବତ କରିଛି । ଏଥିସହ ଘଟଣାରେ ୪ ବେପାରୀଙ୍କୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳେଶ୍ୱର ଏସଡିପିଓ।
ସୂଚନା ଯେ, ଗତ ରବିବାର ଅପରାହ୍ନରେ ଏକ ଟ୍ରକରେ ପଶ୍ଟିମବଙ୍ଗକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ଏସଡିପିଓ ଦିଲ୍ଲୀପ ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଚଢଉ କରିଥିଲା। ଚଢ଼ଉ ସମୟରେ ୫୪ କେଜି ୧୮୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ମହାରାଷ୍ଟ୍ର ନମ୍ବରର ଏକ ଟ୍ରକକୁ ଜବତ କରିଛି ପୋଲିସ। ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ, ୪ ଲକ୍ଷ ୩୨ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳେଶ୍ବର ଏସଡିପିଓ ଦିଲ୍ଲୀପ ସାହୁ। ଗିରଫ ହୋଇଥିବା ୪ ଜଣ ବେପାରୀଙ୍କ ମଧ୍ୟରୁ ଜଣଙ୍କ ଘର ଜଳେଶ୍ବର ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଘର ପଶ୍ଚିମବଙ୍ଗର ବନଗାଉଂ ଥାନା ଅଞ୍ଚଳରେ ବୋଲି ଜଣା ପଡିଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ବର ପୋଲିସ।