୧୭ ଯାଏଁ ବଢିଲା ଲକ୍ଡାଉନ୍, ସଟଡାଉନ୍ ବଳବତ୍ତର
- ପୁଣି ୧୬ ଦିନ ପାଇଁ ଲକ୍ଡାଉନ୍ ବଢ଼ାଇଲେ ସରକାର
ଭୁବନେଶ୍ଵର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକ୍ଡାଉନ୍ ବଢ଼ାଇଲେ ସରକାର । ଜୁନ ୧୭ ଯାଏଁ ବଢିଲା ଲକ୍ଡାଉନ୍। ସେହିପରି ସଟଡାଉନ୍ ବଳବତ୍ତର ରହିଛି । ଦୁଇଟି ଲକ୍ଡାଉନ୍ ସତ୍ତ୍ଵେ ବି ରାଜ୍ୟରେ ଆଶା ଅନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍ଡାଉନ୍ ଅବଧି ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ବଢା ଯାଇଛି। ଏଥିସହ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। କିନ୍ତୁ ଏଥର ସଟ୍ଡାଉନ୍ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଜାରି ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ ୧୭ ସକାଳ ୬ଟା ଯାଏଁ ଲକ୍ଡାଉନ୍ ଅବଧି ଲାଗୁ କରାଯାଇଛି। ହେଲେ ଲକ୍ଡାଉନ୍ ସମୟରେ ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ହେଲେ ସପ୍ତାହାନ୍ତ ସଟ୍ଡାଉନ୍ ଅବଧି ବଢାଯାଇ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ୬ଟା ଯାଏଁ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ବାତ୍ୟା ଯୋଗୁଁ ଟେଷ୍ଟିଂ କମିଥିବାରୁ ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଛି।
ସୂଚନା ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୫୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୬୬୮୪ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୩୪୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୧୯୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି ।