ରାଜ୍ୟର ୩ ଜିଲାରେ କୋହଳ ହେବ ଲକଡାଉନ କଟକଣା
- ନୂଆପଡା, ଗଜପତି ଓ ସୁନ୍ଦରଗଡରେ ଖୋଲିବ ସବୁ ଦୋକାନ
ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ। ଜୁନ ୧୭ ଯାଏଁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢ଼ାଇଛନ୍ତି । ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ବଢ଼ିଥିବାବେଳେ ପୂର୍ବଭଳି କଟକଣା ଜାରି ରହିବ । ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ବଡ କଥା ହେଉଛି ଯେ ୩ଟି ଜିଲ୍ଲାରେ ଲକଡାଉନ କୋହଳ କରାଯିବ । ସଂକ୍ରମଣ କମୁଥିବା ୩ଟି ଜିଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ ଲକଡାଉନକୁ କୋହଳ କରାଯାଇଛି । ୩ଟି ଜିଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ । ବାକି ୨୭ ଜିଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ ଲକଡାଉନ କୋହଳ ହେବ ବୋଲି ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଯଦି ଏହି ତିନିଟି ଜିଲାରେ ସଂକ୍ରମଣ ହାର ବଢେ ତେବେ କୋହଳ ନିଷ୍ପତ୍ତି ପ୍ରତ୍ୟାହାର କରିନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହି ୩ ଜିଲାରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସହ ଅନ୍ୟ ସମସ୍ତ ଦୋକାନ ଖୋଲିପାରିବ । ସମସ୍ତ ଦୋକାନ ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲିପାରିବ । ସେହିପରି ମଲ, ସେଲୁନ ଓ ପାର୍ଲର ଖୋଲିପାରିବ ନାହିଁ ।
ସୂଚନା ଯେ, ଜୁନ ୧ ତାରିଖରେ ଲକଡାଉନ ଶେଷ ହେବାର ଥିଲା। ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ବଢ଼ିଥିବାବେଳେ ପୂର୍ବଭଳି କଟକଣା ଜାରି ରହିବ । ସେହିପରି ଶୁକ୍ରବାର ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ତେବେ ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ଲକଡାଉନ୍ ଲାଗିବା ଫଳରେ ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଏହାର ଅବଧି ବୃଦ୍ଧି କରିଛନ୍ତି । ସଂକ୍ରମଣ କମିଲେ କଟକଣା ମଧ୍ୟ କୋହଳ ହେବ । ତେବେ ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ।