ରାଜ୍ୟରେ ବଢ଼ିପାରେ ଲକ୍ଡାଉନ୍ !

- କୋଭିଡ ସ୍ଥିତି ନେଇ ସନ୍ଧ୍ୟା ସାଢେ୬ଟାରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଭୁବନେଶ୍ୱର : ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ କରୋନା ଜନିତ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକ୍ଡାଉନ୍ ସୋମବାର ଦିନ ଶେଷ ହେଉଛି । ତେଣୁ ଲକ୍ଡାଉନ୍ କି କରୋନା ସ୍ଥିତି ନେଇ କିଛି ବି ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଓଡ଼ିଶାରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞମାନେ କହୁଛନ୍ତି । ତେବେ ସଂକ୍ରମଣ ହାର ୫ ପ୍ରତିଶତକୁ ନ ଖସିବା ପର୍ଯ୍ୟନ୍ତ ରାଜ୍ୟରେ କଟକଣାକୁ କୋହଳ କରିବା ଉଚିତ୍ ହେବ ନାହିଁ । ଏପିରିକି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଜୁନ୍ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ପଡିବ । ତାହାଲେ ଯାଏଁ ଆମେ କରୋନାର ସଂକ୍ରମଣ ଚେନ୍ରେ ବ୍ରେକ୍ ଦେଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି । ତେଣୁ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ବିଚାର କରୁଛନ୍ତି ରାଜ୍ୟ ସରକାର। ସୂଚନା ଯେ, ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ କମୁଛି ସେହି ହାରରେ ଓଡ଼ିଶାରେ ସଂକ୍ରମଣ କମୁନାହିଁ । ଓଡ଼ିଶାରେ ସଂକ୍ରମଣ ସାମାନ୍ୟ କମିଥିଲେ ବି ଏବେବି ସଂକ୍ରମଣ ହାର ପ୍ରାୟ ୧୪ ପ୍ରତିଶତ ରହୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଗକୁ ଯେହେତୁ ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ ଏବଂ ରଜ ପର୍ବ ଥିବାରୁ ଜନଗହଳି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର କି ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଦେଶର ୮୦ ପ୍ରତିଶତ ଅଂଚଳ ଏବେ ତାଲା ବନ୍ଦ ଥିବା ବେଳେ ୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଲକ ଡାଉନକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ କଟକଣା ସାମାନ୍ୟ କୋହଳ ହେବା ସହ ଜୁନ ୭ ତାରିଖ ସକାଳ ୫ଟା ଯାଏଁ ଲକ୍ଡାଉନକୁ ବଢ଼ାଇ ଦିଆଯାଇଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖ ଯାଏଁ ରାଜ୍ୟବ୍ୟାପି ତାଲାବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଡୁଚେରୀ, ମେଘାଳୟ ଓ ହିମାଂଚଳ ପ୍ରଦେଶରେ ମଧ୍ୟ ତାଲାବନ୍ଦକୁ ବୃଦ୍ଧି କରାଯାଇଛି ।