ବସ୍ ଧର୍ମଘଟ ସ୍ଥଗିତ ! ଆଜି କାର୍ଯ୍ୟକାରିଣୀ ବୈଠକରେ ନିଆଯିବ ନିଷ୍ପତ୍ତି
![](https://thetruths.in/wp-content/uploads/2022/06/Bus.jpg)
ବାହୁଡା଼ ପର୍ଯ୍ୟନ୍ତ ସମୟ ମାଗିଲେ ମନ୍ତ୍ରୀ ଟୁକୁନି ସାହୁ
ଭୁବନେଶ୍ୱର : ବସ୍ ଧର୍ମଘଟ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ରବିବାର ଆଲୋଚନା କରିଛି ଘରୋଇ ବସ୍ ମାଲିକ ସଂଘ । ତେବେ ଜୁଲାଇ ୧ ତାରିଖରେ ପ୍ରସ୍ତାବିତ ଧର୍ମଘଟ ନେଇ ଆଜି କାର୍ଯ୍ୟକାରିଣୀ ବୈଠକ ପରେ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ଓ ସଂଘର ସଦସ୍ୟମାନେ ଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ ଧର୍ମଘଟ ନକରିବା ପାଇଁ ଅନୁରୋଧ କରାଯାଇଛି ଏବଂ ବାହୁଡା଼ ପର୍ଯ୍ୟନ୍ତ ସମୟ ମଗାଯାଇଛି । ତାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ । ସୋମବାର ସନ୍ଧ୍ୟା ୫ ଟାରେ ସଂଘର କାର୍ଯ୍ୟକାରିଣୀ ବୈଠକ ବସିବ । ଏହି ବୈଠକରେ ଧର୍ମଘଟ ନେଇ ନିଷ୍ପତି ନିଆଯିବ ବୋଲି ରାଜ୍ୟ ଘରୋଇ ବସ୍ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ନିବାସରେ ଆୟୋଜିତ ବୈଠକରେ ପରିବହନ ବିଭାଗର ଅତିରିକ୍ତ କମିସନର (ପ୍ରଶାସନ) ଶ୍ରୀନିବାସ ବେହେରା ଓ ଅତିରିକ୍ତ କମିସନର (ଏନ୍ଫୋର୍ସମେଂଟ) ଲାଲମୋହନ ସେଠୀ ଉପସ୍ଥିତ ଥିଲେ । ସେହିପରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସଭାପତି ଲୋକନାଥ ପାଣି, ମୁଖପାତ୍ର ଦେବାଶିଷ ନାୟକ, ଜୋନ୍ ସେକ୍ରେଟେରି କର୍ଣ୍ଣଟ କିଶୋର ଦାସ ଓ ସଂଘର ଅନ୍ୟ ସଦସ୍ୟ ଥିଲେ ।
ସୂଚନାଯୋଗ୍ୟ, ୧୦ ଦଫା ଦାବିକୁ ନେଇ ସଂଘ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି । ବସର ପରମିଟ୍ ଗୁଡିକୁ ୩ୟ ପଖଙ୍କୁ ହସ୍ତାନ୍ତର କରିବା ନିଷ୍ପତି କାର୍ଯ୍ୟକାରୀ ନହେବା, ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହି ବସ୍ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଏବଂ ଚଢାଇବା ପାଇଁ ସରକାର କୌଣସି ଯାଗା ନଦେବା, କୋଭିଡ୍ ସମୟରେ ବସ୍ ଗୁଡିକୁ ୧ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍ ଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତି ପ୍ରତ୍ୟାହାର କରିବା ଭଳି ଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଥିଲା ଘରୋଇ ବସ୍ ମାଲିକ ସଂଘ ।