ବଜେଟ୍ ସାଧାରଣ ଲୋକଙ୍କ ଆଶା ପୂରଣ କରିବ : ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2023/01/PM-Narendra-Modi-3.jpg)
ନୂଆଦିଲ୍ଲୀ : ଆଜି ସଂସଦରେ ୨୦୨୩-୨୪ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍କୁ ନେଇ ପ୍ରତ୍ୟେକଙ୍କର କିଛି ନା କିଛି ଆଶା ରହିଛି । ବଜେଟରେ ଆପଣଙ୍କ ଲାଗି କଣ ରହିଛି ଏହା ବୁଧବାର ପୂର୍ବାହ୍ନ ୧୧ଟା ବେଳେ ସଂସଦରୁ ଜଣାପଡିଯିବ । ତେବେ ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ବଜେଟକୁ ନେଇ ବଡ ଇଶାରା କରିଛନ୍ତି । ଯେଉଁଥିରୁ ଆଗାମୀ ବଜେଟର ଦିଗ ଜଣାପଡି ଯାଉଛି । ତେବେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ଏଥିରେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାରେ ଏବେ ଝଡ଼ ଉଠିଥିବା କହିଛନ୍ତି । ଏହି କଷ୍ଟକର ସମୟରେ ମଧ୍ୟ ସାରା ବିଶ୍ୱର ଆଶା ରହିଛି । ଏଥିରେ ତାଙ୍କ ସରକାର ‘ଇଣ୍ଡିଆ ଫାଷ୍ଟ’ ଓ ‘ସିଟିଜେନ ଫାଷ୍ଟ’ ନୀତିରେ କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏଣୁ ଏହି ଭାବନାକୁ ଆଗକୁ ବଢେବା ଲାଗି ବଜେଟ୍ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବଜେଟ୍ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି । ଏହା ଆମ ସମସ୍ତଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଅବସର ନିଶ୍ଚିତ । ଏଣୁ ଆଶା କରୁଛି ଭାରତର ବଜେଟ୍ ସାଧାରଣ ଲୋକଙ୍କ ଆଶା ପୂରଣ କରିବା ଲାଗି ଉଦ୍ୟମ କରିବା ସହିତ ବିଶ୍ୱ ଯାହା ଭାରତକୁ ଆଶାର କିରଣ ଭଳି ଚାହିଁଛି ତାକୁ ଏହା ଆହୁରି ଅଧିକ ଉଜ୍ଜ୍ୱଳ ଦେଖାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଣୁ ପ୍ରଧାନମନ୍ତ୍ରୀଙ୍କ କଥାରୁ ଆଗାମୀ ନିର୍ବାଚନ ପୂର୍ବରୁ ଶେଷ ବଜେଟ୍ ସରକାର ଜନ କଲ୍ୟାଣ ଯୋଜନା ଲାଗି ତାଙ୍କ ଟ୍ରେଜରୀ ଖୋଲି ଦେଇପାରନ୍ତି ।
ଏହା ସହ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ସାଙ୍ଗକୁ ଲୋକଙ୍କ ସଞ୍ଚୟ ଓ ଆୟ ବୃଦ୍ଧି ଲାଗି ବଜେଟରେ ପ୍ରାବଧାନ କରିପାରନ୍ତି । ବଜେଟରେ ସାଧାରଣ ଲୋକେ ଶୁଳ୍କ ରିହାତି ଦାବି କରୁଛନ୍ତି । ତେବେ ୨୦୧୪ ପରଠାରୁ ସରକାର ଦେଶର ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରି ନାହାନ୍ତି । ହେଲେ ଗତ ୨ ବଜେଟରେ ସରକାର ଏଥିରେ କିଛି ପରିବର୍ତ୍ତନ କରିପାରନ୍ତି ବୋଲି ଲୋକେ ଆଶା କରିଥିବା ବେଳେ ତାହା ହୋଇ ନଥିଲା । ଏଥର ବଜେଟ୍?ରେ କଣ ହେଉଛି ତା ଉପରେ ଏବେ ସମସ୍ତଙ୍କର ନଜର ।