ଭାରତର ଜନସବତି ଗତିରେ ବ୍ରେକ୍, ଖସିଲା ପ୍ରଜନନ ହାର
![](https://thetruths.in/wp-content/uploads/2022/05/Fertility-Rate-Dropped.jpg)
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଭାରତର ଜନସବତି ଗତିରେ ବ୍ରେକ୍ ଲାଗିଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ଦେଶରେ ପ୍ରଜନନ ହାର ୨.୨%ରୁ ଖସି ୨%କୁ ଆସିଯାଇଛି । ଭାରତର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ୭୦୭ ଜିଲାର ପାଖାପାଖି ୬.୩୭ଲକ୍ଷ ନମୁନାକୁ ନେଇ ଏହି ସର୍ଭେ କରାଯାଇଥିଲା ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍)ର ସଦ୍ୟ ରିପୋର୍ଟରେ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ସବୁ ଧର୍ମ କ୍ଷେତ୍ରରେ ପ୍ରଜନନ ହାର କରୁଥବା ଦେଖିବାକୁ ମିଳିଛି। କନ୍ୟା ସନ୍ତାନ ଜନ୍ମକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି । ପୁଅ-ଝିଅ ମଧ୍ୟରେ କିଛି ଫରକ ନଦେଖି ଅଧିକାଂଶ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବାର ମୋହ ତ୍ୟାଗ କରୁଛନ୍ତି। ଦେଶରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିବା ୬୫% ମହିଳା ଏଭଳି ଅଛନ୍ତି ଯେଉଁମାନେ ପୁଅଙ୍କୁ ନେଇ କୌଣସି ଅଭିଳାଷ ରଖିନଥିବା କହିଛନ୍ତି। ଦେଶରେ ଉଚ୍ଚ ପ୍ରଜନନ ହାର ଥିବା ମୁସ୍ଲିମ ସଂପ୍ରଦାୟରେ ମଧ୍ୟ ପ୍ରଜନନ ହାର ଦ୍ରୁତ ଗତିରେ କମିଛି। ୨୦୧୫-୧୬ ସର୍ଭେ ତୁଳନାରେ ୨୦୧୯-୨୧ ସର୍ଭେରେ ମୁସ୍ଲିମ ସଂପ୍ରଦାୟରେ ପ୍ରଜନନ ହାର ଅନ୍ୟ ଧର୍ମ ଅପେକ୍ଷା ଦ୍ରୁତ ହ୍ରାସ ହେଉଥିବା ସାମ୍ନାକୁ ଆସିଛି। ଚଳିତ ସର୍ଭେ ରିପୋର୍ଟ ମୁସ୍ଲିମ୍ ସଂପ୍ରଦାୟର ପ୍ରଜନନ ହାର ୪.୪%ରୁ ୨.୩୬କୁ ଖସି ଆସିଛି। ତେବେ ସର୍ଭେର ପ୍ରତ୍ୟେକ ପର୍ଯ୍ୟାୟରେ ମୁସ୍ଲିମଙ୍କ କ୍ଷେତ୍ରରେ ପ୍ରଜନନ ହାର ଦ୍ରୁତ ଗତିରେ କମିଥିଲେ ମଧ୍ୟ ଅନ୍ୟ ଧର୍ମ ତୁଳନାରେ ଏହା ଅଧିକ ରହିଛି। ଏନ୍ଏଫ୍ଏଚ୍ଏସ୍ ଦ୍ବାରା ଆଜି ପର୍ଯ୍ୟନ୍ତ ହୋଇଥିବା ୫ଟି ସର୍ଭେରେ ମୁସ୍ଲିମ ପ୍ରଜନନ ହାରରେ ୪୬.୫% ହ୍ରାସ ଦେଖିବାକୁ ମିଳିଛି। ହିନ୍ଦୁଙ୍କ କ୍ଷେତ୍ରରେ ଏହା ୪୧.୨% ରହିଛି। ଉତ୍ତରପ୍ରଦେଶରେ ହିନ୍ଦୁମାନଙ୍କ ପ୍ରଜନନ ହାର ୨.୨୯% ରହିଥିବା ବେଳେ ତାମିଲନାଡ଼ୁରେ ଏହା ୧.୭୫ ରହିଛି । ୟୁପିରେ ମୁସ୍ଲିମଙ୍କ ପ୍ରଜନନ ହାର ୨.୬୬ ରହିଥିବା ବେଳେ ତାମିଲନାଡ଼ୁରେ ୧.୯୩ ରହିଛି।
ସୂଚନା ଯେ, ବିହାର, ମେଘାଳୟ, ଉତ୍ତରପ୍ରଦେଶ, ଝାରଖଣ୍ଡ ଓ ମଣିପୁର ଭଳି ୫ଟି ରାଜ୍ୟରେ ପ୍ରଜନନ ହାର ୨.୧%ରୁ ଅଧିକ ରହିଛି । ମନ୍ତ୍ରଣାଳୟ ଗତକାଲି ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଜାରି କରିଛି । ଚାକିରି କରୁଥିବା ଅଧିକାଂଶ ମହିଳା କଣ୍ଟ୍ରାସେପସନ ବ୍ୟବହାର କରିବା ଉପରେ ଭରସା କରୁଥିବା ସର୍ଭେରେ ସାମ୍ନାକୁ ଆସିଛି ।