ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ ଘଟଣା ; ଫେରାର ଅଭିଯୁକ୍ତ ଗିରଫ
![](https://thetruths.in/wp-content/uploads/2022/10/Blast-incident-at-Punjab-Police.jpg)
ନୂଆଦିଲ୍ଲୀ : ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ ଘଟଣା । ଫେରାର ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଗିରଫ । ଫେରାର ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ । ଏହି ଅଭିଯୁକ୍ତ ଜଣକ ୟୁପିରେ ରହୁଥିବା ବେଳେ ଆତଙ୍କବାଦୀଙ୍କ ସହଯୋଗୀ ଥିଲା । ଗିରଫ ଅଭିଯୁକ୍ତ ଜଣକ ବିଷ୍ଣୋଇ ଗ୍ୟାଙ୍ଗ ସହ ମିଶି ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଗତ ମେ ୯ ତାରିଖରେ ପଞ୍ଜାବ ମୋହାଲି ସ୍ଥିତ ରାଜ୍ୟ ପୁଲିସର ଗୁଇନ୍ଦା ମୁଖ୍ୟାଳୟରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ (ଆର୍ପିଜି) ଦ୍ବାରା ଆକ୍ରମଣ ଘଟଣା (ମୋହାଲି ବ୍ଲାଷ୍ଟ) । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଘଟଣାର ଫେରାର ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ନାମ ଅର୍ଶଦୀପ ସିଂ ବୋଲି ଜଣାପଡ଼ିଛି । ଆଉ ଜଣେ ଅଭିଯୁକ୍ତ ନାବାଳକ ଥିବା ଜଣାପଡ଼ିଛି । ସ୍ବତନ୍ତ୍ର ପୁଲିସ କମିଶନର ହରଗୋବିନ୍ଦ ସିଂ ଧାଲିୱାଲଙ୍କ କହିବାନୁସାରେ ମୋହାଲି ବିସ୍ଫୋରଣର ୨ଦିନ ମଧ୍ୟରେ ଫରିଦଫୋଟ ଅଧିବାସୀ ନିଶାନ ସିଂ ନାମକ ବ୍ୟକ୍ତିକୁ ଗିରଫ କରିଥିଲା । ଏହାପରେ ନିଶାନର ଶାଳକ ସୋନୁକୁ ମଧ୍ୟ ଉକ୍ତ ସ୍ଥାନରୁ ଗିରଫ କରାଯାଇଥିଲା । ନିଶାନ ଆକ୍ରମଣକାରୀଙ୍କୁ ଲଜିଷ୍ଟିକ ଯୋଗାଇଥିଲା ଏଥିରେ ସୋନୁ ମଧ୍ୟ ସାମିଲ ରହିଥିଲା । ନିଶାନକୁ ପଚରା ଉଚୁରା କରିବା ସମୟରେ କହିଥିଲା ଯେ ରକେଟ ଚାଳିତ ଗ୍ରେନେଡ (ଆର୍ପିଜି) ତରନତାରନ ଓ ଅମୃତସର ମଧ୍ୟରେ ୩ ଜଣ ଲୋକ ତାକୁ ଦେଇଥିଲେ । ମାତ୍ର ସେହି ୩ଜଣ କିଏ ଥିଲେ ସେ ସମ୍ପର୍କରେ ନିଶାନକୁ ଜଣାନଥିଲା ।
ଅଭିଯୁକ୍ତ ଅର୍ଶଦୀପ ପାକିସ୍ତାନର ଖାଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ସିଂ ରିନ୍ଦା ଓ ଗ୍ୟାଙ୍ଗଷ୍ଟାରରୁ ଆତଙ୍କବାଦୀ ହୋଇଥିବା ଲଖବରୀ ସିଂ ଲାନ୍ଦା ସମ୍ପର୍କରେ ମଧ୍ୟ ସୂଚନା ଦେଇଛି । ଉଭୟ ପଳାତକ (ଜେଲରୁ) ଗ୍ୟାଙ୍ଗଷ୍ଟର ଆତଙ୍କବାଦୀ ସଂଗଠନ ପାଇଁ କାମ କରିବା ଆରମ୍ଭ କରି ସେମାନଙ୍କ ଗ୍ୟାଙ୍ଗକୁ ମଜବୁତ କରିବାକୁ ଉଦ୍ୟମ କରିଥିଲେ । ଗିରଫ ନାବାଳକ ଅଭିଯୁକ୍ତ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ସମ୍ପର୍କରେ ମଧ୍ୟ ଖୁଲାସା କରିଛି । ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ମିଶି ସଲମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବା ସମ୍ପର୍କରେ ପ୍ରକାଶ କରିଛି ।