ସୋମବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟଥର ପାଇଁ ଶପଥ ନେବେ ଭୂପେନ୍ଦ୍ର ପଟେଲ
![](https://thetruths.in/wp-content/uploads/2022/12/Bhupendra-Patel-1024x556.jpg)
ଗାନ୍ଧୀନଗର : ଆସନ୍ତାକାଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟଥର ପାଇଁ ଶପଥ ନେବେ ଭୂପେନ୍ଦ୍ର ପଟେଲ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଗତ ଶନିବାର ଏନେଇ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ କେନ୍ଦ୍ର ପର୍ୟ୍ୟବେକ୍ଷକ ଭାବେ ବରିଷ୍ଠ ନେତା ରାଜନାଥ ସିଂହ, ବିଏସ୍ ୟେଦୁରପ୍ପା ଓ ଅର୍ଜୁନ ମୁଣ୍ଡା ଉପସ୍ଥିତ ଥିଲେ । ବୈଠକରେ ପୁଣି ଥରେ ଭୂପେନ୍ଦ୍ର ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି ହୋଇଛି ।
ଗୁଜୁରାଟ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଦଳର ନେତା ମନୋନୟନ ପାଇଁ ଏହବୈଠକ ଆୟୋଜିତ ହୋଇଥିଲା । ଦଳର ନେତା ଭାବେ ଭୂପେନ୍ଦ୍ର ପଟେଲଙ୍କ ନାଁ ବିଧାୟକ କାନୁ ଦେଶାଇ ପ୍ରସ୍ତାବ ଦେଇଥିଲେ । ଏହାକୁ ଅନ୍ୟ ବିଧାୟକମାନେ ସର୍ବସମ୍ମତିକ୍ରମେ ସମର୍ଥନ ଜଣାଇଥିଲେ । ଫଳରେ ଭୂପେନ୍ଦ୍ର ଦ୍ୱିତୀୟ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଥିଲା ।
ସୂଚନା ଯେ, ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି । କଂଗ୍ରେସକୁ ହରାଇ ମହା ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୮୨ରୁ ୧୫୬ଟି ଆସନ ଦଖଲ କରିଛି । ବିଜେପିର ଏହି ମହାବିଜୟ ପରେ ପୁଣି ଥରେ ଗୁଜରାଟରେ ଭୂପେନ୍ଦ୍ରଙ୍କ ନେତୃତ୍ୱକୁ ଦଳ ଭରସା କରିଛି । ତେଣୁ ସେଥିପାଇଁ ଆସନ୍ତାକାଲି (ସୋମବାର) ଗାନ୍ଧୀନଗରର ହେଲିପ୍ୟାଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶନିବାର ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଭୂପେନ୍ଦ୍ର ଗୁଜରାଟ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ରାଜଭବନରେ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।