ଭୁବନେଶ୍ୱର କୋର୍ଟ ସାତଦିନ ପାଇଁ ସିଲ୍
![](https://thetruths.in/wp-content/uploads/2021/04/Bhubaneswar-court-1024x683.jpg)
ଭୁବନେଶ୍ୱର : କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହରର ଲୁଇସ୍ ରୋଡରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସକୁ ସାତ ଦିନ ପାଇଁ ସିଲ୍ କରାଯାଇଛି । ସହରରେ କରୋନା ସକରାତ୍ମକ ମାମଲା ଚିହ୍ନଟ ବଢିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପାଖାପାଖି ଏକ ସପ୍ତାହ ଧରି ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପ୍ରତିଦିନ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ତାହା ବିଏମ୍ସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି। ସେଥିପାଇଁ ମହାନଗର ନିଗମ ଅଞ୍ଚଳରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ଉପରେ ଉଭୟ ବିଏମସି ଏବଂ କମିଶନରେଟ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ମହାନଗର ନିଗମ ଅଞ୍ଚଳର ମାର୍କେଟ ବିଲଡିଂ, ଭିଏସଏସ ନଗର ହାଟ ଆଦି ଏକାଧିକ ଜନଗହଳି ସ୍ଥାନ, ବଜାର, ହାଟ ଆଦିକୁ ମଧ୍ୟ ସିଲ୍ କରିଦିଆଯାଇଛି। କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳରେ ବାସ କରୁଥିବା ଜନସାଧାରଣ ବାହାରକୁ ଆସିବା ଅଥବା ବାହାରୁ କେହି ସେଠାକୁ ଯିବା ଉପରେ କଟକଣା ଜାରି କରାଯାଇଛି।
ବିଏମସି ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ “ବୃହତ ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ ଭୂତାଣୁ ବିସ୍ତାରକୁ ଧାରଣ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରର ଲୁଇସ୍ ରୋଡରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସକୁ ଆଜିଠାରୁ ମେ ୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସିଲ୍ କରାଯାଇଛି । ଭୁବନେଶ୍ୱର କୋର୍ଟ ପରିସରକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ସାନିଟାଇଜ ବ୍ୟବସ୍ଥା କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ପ୍ରାଧିକୃତ କର୍ମଚାରୀଙ୍କ ଦ୍ବାରା ସିଲ୍ କରାଯାଇଥିବାରୁ ଭୁବନେଶ୍ୱର ଜୁଡିସିଆଲ୍ କମ୍ପ୍ଲେକ୍ସ ପରିସରକୁ କିମ୍ବା ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।