ସ୍ୱାମୀକୁ ମାଡ଼ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ, ୬ ଗିରଫ
![](https://thetruths.in/wp-content/uploads/2022/09/Arrested-1-1024x472.jpg)
ବାଲେଶ୍ୱର : ଦିନକୁ ଦିନ ଅପରାଧର ପେଣ୍ଠ ସ୍ଥଳୀ ପାଲଟୁଛି ବାଲେଶ୍ୱର । ପ୍ରତ୍ୟେକ ଦିନ କେଉଁଠୁ ନା କେଉଁଠୁ ଅପରାଧ ନେଇ ଖବରମାନ ସାମ୍ନାକୁ ଆସୁଛି । ବିଶେଷ କରି ଲୁଟ୍, ଛିନ୍ତାଇ, ଚୋରୀ ଠାରୁ ଆରମ୍ଭ କରି ବ୍ରାଉନ୍ସୁଗାର ବେପାର । ସେହିପରି ବଳାତ୍କାର ଓ ହତ୍ୟା ଭଳି ଘଟଣାମାନ ଘଟୁଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହର ଆନନ୍ଦବଜାର ସ୍ଥିତ ଗୋଧିବସା ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଛି । ଜଣେ ଦମ୍ପତ୍ତି ରହୁଥିବା ଘରେ ଗତ ୧୯ତାରିଖ ସୋମବାର ମଧ୍ୟରାତ୍ରିରେ କିଛି ଯୁବକ ପଶି ସ୍ୱାମୀକୁ ମାଡ଼ ମାରିବା ସହ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଛନ୍ତି । ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ପୀଡ଼ିତା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସହଦେବଖୁଣ୍ଟା ଥାନା ପକ୍ଷରୁ ମାମଲା (ନଂ. ୩୦୦ ।୨୨) ରୁଜୁ କରାଯାଇ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେଥିରେ ୨ଜଣ ନାବାଳକ ସାମିଲ୍ ଥିବାର ଜଣାପଡ଼ିଛି ।
ଗୋଧିବସାରେ ଭଡ଼ା ଘରେ ରହୁଥିବା ଉକ୍ତ ଦମ୍ପତ୍ତି ରେଳବାଇର ଥିବା ମାଲଗୋଦାମରେ କାମ କରୁଥିଲେ । ସୋମବାର ମଧ୍ୟରାତ୍ରିରେ ୬ ଜଣ ଅଭିଯୁକ୍ତ ତାଙ୍କ ଘରେ ପହଞ୍ôଚ ସ୍ୱାମୀକୁ ଘର ବାହାରକୁ ଘୋଷାରି ଆଣି ମାରପିଟ୍ କରିଥିଲେ । ସେ ପ୍ରାଣ ବିକଳରେ ଦୌଡ଼ି ନିକଟସ୍ଥ ମସଜିଦ୍ ଭିତରକୁ ପଶି ଯାଇଥିଲେ । ମାତ୍ର ଯୁବକମାନେ ତାଙ୍କୁ ସେଠାରୁ ଆଣି ଡାହାଣ ହାତକୁ ଖଣ୍ଡାରେ ହାଣି କ୍ଷତବିକ୍ଷତ କରିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ପୀଡ଼ିତାଙ୍କୁ ସ୍ୱାମୀଙ୍କ ସାମ୍ନାରେ ବଳାତ୍କାର କରିଥିଲେ । ସେହିପରି ଘରେ ଥିବା ନଗଦ ୧୦ହଜାର ଟଙ୍କା ମଧ୍ୟ ଲୁଟ୍ କରିନେଇଥିଲେ । ମଙ୍ଗଳବାର ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଘଟଣାର ତଦନ୍ତ କରି ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଭୁଜାଲି ସହ ବନ୍ଧୁକ ଜବତ କରିଛି । ଏଥିସହିତ ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଇଛି ।