ବାଲେଶ୍ୱର : ବିଜେଡିରେ ମିଶିଲେ ୩ ନବନିର୍ବାଚିତ ସ୍ୱାଧୀନ କାଉନସିଲର
![](https://thetruths.in/wp-content/uploads/2022/04/BJD-ra-Misrana-purba-1024x768.jpg)
ପୌର ପରିଷଦରରେ ଦଳର ସଦସ୍ୟ ସଂଖ୍ୟା ପହଂଚିଲା ୨୧ରେ
ବାଲେଶ୍ୱର : ବାଲେଶ୍ୱର ପୌର ପରିଷଦରେ ବିଜୁ ଜନତା ଦଳର ୧୮ଜଣ କାଉନସିଲର ବିଜୟ ହାସଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ୯ଜଣ ଓ ସ୍ୱାଧୀନ ଭାବେ ୪ଜଣ କାଉନସିଲର ନିର୍ବାଚିତ ହୋଇଥିଲେ । ତେବେ ସ୍ୱାଧୀନ ୪ଜଣଙ୍କ ମଧ୍ୟରୁ ୯ନଂ ୱାର୍ଡ କାଉନସିଲର ସଞ୍ଜିବ କୁମାର ଦାସ, ୧୧ନଂ ୱାର୍ଡ କାଉନସିଲର ଶେଖ ନୌସାଦ ଅଲ୍ଲୀ ଓ ୧୨ନଂ ୱାର୍ଡ କାଉନସିଲର ଅନିନ୍ଦ୍ୟ କୁମାର ପଣ୍ଡା ପ୍ରମୁଖ ୩ଜଣ ବିଜୁ ଜନତା ଦଳରେ ଯୋଗଦେବା ଫଳରେ ପୌର ପରିଷଦରେ ଦଳର ସଦସ୍ୟ ସଂଖ୍ୟା ୨୧ରେ ପହଂଚିଛି ।
ଏହି ପରିପ୍ରେକ୍ଷୀରେ ବିଜେଡି ଜିଲା କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା ଯୋଗଦେଇ ୩ କାଉନସିଲରଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପୌର ନିର୍ବାଚନ ପୂର୍ବରୁ ଏହି ୩ଜଣ କାଉନସିଲର ବିଜେଡିର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ଆଶାୟୀ ଥିବା ସତ୍ୱେ କୌଣସିକାରଣ ବଶତଃ ଦଳୀୟ ଟିକଟ ମିଳି ନଥିବାରୁ ସେମାନେ ସ୍ୱାଧୀନ ପ୍ରାଥୀ ରୂପେ ନିର୍ବାଚନ ଲଢି କାଉନସିଲର ପଦବୀରେ ନିର୍ବାଚିତ ହୋଇଥିଲେ । ପୌରପରିଷଦରେ ଦଳ ପୌରାଧ୍ୟକ୍ଷ ପଦବୀରେ ବିଜୟ ହାସଲ କରିଥିବା ବେଳେ ବାଲେଶ୍ୱରକୁ ବିକାଶ ଓ ଉନ୍ନତିର ଶିଖରରେ ପହଂଚାଇବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଏହି ଅବସରରେ ଶ୍ରୀ ଜେନା କହିଥିଲେ । ଜନସାଧାରଣଙ୍କ ସ୍ୱାର୍ଥ ତଥା ଅଂଚଳର ବିକାଶକୁ ଦୃଷ୍ଟିରେ ରଖି ୩ଜଣ ସ୍ୱାଧୀନ କାଉନସିଲରଙ୍କୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ କରାଯାଇଥିବା ସେ ସୂଚନା ଦେଇଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୩ କାଉନସିଲରଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ସ୍ୱଚ୍ଛ ଶାସନରେ ପ୍ରଭାବିତ ହୋଇ ପୌରାଂଚଳର ବିକାଶ ପ୍ରକିୟାକୁ ଆଗକୁ ନେବାକୁ ୩ ସ୍ୱାଧୀନ କାଉନସିଲର ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି ମତପ୍ରକାଶ କରିଥିଲେ । ଦଳର ନୀତି ଆଦର୍ଶ ତଥା ଶୃଙ୍ଖଳାକୁ ମାନି ଆଗାମୀ ଦିନରେ କାର୍ଯ୍ୟ କରିବା ସହିତ ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ ପାଇଁ ପ୍ରୟାସ ଜାରି ରଖିବେ ବୋଲି ୩ କାଉନସିଲର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ, ବିଜେଡି ଅନୁସୂଚିତ ଜାତି ସେଲ ଜିଲା ସଭାପତି ଶତୃଘ୍ନ ମଲ୍ଲିକ, ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ସୀମନ ଦାସମହାପାତ୍ର, ବିଜେଡି ଟାଉନ ସଭାପତି ସନତ ଦାସ, ଯୁବନେତା ଭାଗବତ ସାହୁ, ଅସିତ ଦାସ, ଇନ୍ତେଖ୍ୱାବ ଅଲ୍ଲୀ ଖାନ ପ୍ରମୁଖଙ୍କ ସମେତ ବହୁ କର୍ମୀ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇ ଦଳରେ ଯୋଗଦେଇଥିଲେ ୩ କାଉନସିଲରଙ୍କୁ ଅଭିନନ୍ଦନ ଜଣାଇଥିଲେ । ତେବେ ବାଲେଶ୍ୱରରେ ଉପସ୍ଥିତ ଥାଇ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସଦର ବିଧାୟକଙ୍କ ଯୋଗ ନଦେବାକୁ ନେଇ ବିଜୁ ଜନତା ଦଳରେ ସ୍ଥାନୀୟ ନେତାଙ୍କ ଗୋଷ୍ଠୀ କନ୍ଦଳ ସମ୍ପର୍କରେ ସାଧାରଣରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି ।