ବାଲେଶ୍ୱର ଲୟର୍ସ କ୍ଲବ ଉଦ୍ଘାଟିତ
![](https://thetruths.in/wp-content/uploads/2023/03/Balasore-Lawyers-Club-1024x566.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା କୋର୍ଟ ପରିସରରେ ଉଦ୍ଘାଟିତ ହେଲା ‘ବାଲେଶ୍ୱର ଲୟର୍ସ କ୍ଲବ’ । କ୍ଲବର ସଭାପତି ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ ସଭାପତିତ୍ୱ କରିଥିଲେ । ଜିଲା ଦୌରାଜଜ ଅଶାନ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଲବର ‘ଲୋଗୋ’କୁ ଉନ୍ମୋଚନ କରି ଏହି କ୍ଲବ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ନ ହୋଇ ଆଇନ୍ ସେବାକୁ ଆଗେଇ ନେବା ଏବଂ ନବାଗତ ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ଦିଗ ପ୍ରତି ଗୁରୁତ୍ୱ ଦେବା ଉଚିତ୍ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଓ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଯୋଗଦେଇ ଆଇନଜୀବୀ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଜନସାଧାରଣ ସହଜରେ ଆଇନ ସେବା ପାଇ ପାରିବେ ବୋଲି କହିଥିଲେ । ଏହି ଅବସରରେ ମଞ୍ଚସ୍ଥ ନାଟକର ଅଭିନୟ କରୁଥିବା କଳାକାରଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ । ଆଇନଜୀବୀ ସତ୍ୟେନ୍ଦ୍ର ଉମାଶଙ୍କର ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ କିରଣ ମହାରଣା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ଚନ୍ଦ୍ରଶେଖର ଖିଲାରଙ୍କ ନିର୍ଦ୍ଦେଶିତ ନାଟକ ‘ନିସ୍ତବ୍ଧ ସାହାନାଇ’ ମଞ୍ଚସ୍ଥ ହୋଇଥିଲା । ଏଥିରେ ଶକ୍ତି ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବିଶ୍ୱନାଥ ମହାରଣା ମଞ୍ଚ ପରିଚାଳନା, ସନ୍ତୋଷ କମିଳା ରୂପସଜ୍ଜା, ସତ୍ୟନାରାୟଣ ମହାନ୍ତି ଶବ୍ଦ ଓ ଆଲୋକ ଦାୟିତ୍ୱ ତୁଲାଇଥିଲେ । ଅର୍ଜୁନ ଜେନା, ବାଦଲ ବେହେରା, ଶାନ୍ତନୁ ରାଉତ, କାମିନୀ ଚୌଧୁରୀ, ପ୍ରଭାତ ଦାସ, ଅର୍ଜୁନ ମହାନ୍ତି, ସୁଲଳିତ କର ପ୍ରମୁଖ ଅଭିନୟ କରିଥିଲେ ।