ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
![](https://thetruths.in/wp-content/uploads/2024/03/Fakir-Mohan-Univercity.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, କୁଳସଚିବ କୁକୁମୀନା ଦାସ ଉପସ୍ଥିତ ଥିଲେ । ଏଥିସହ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଫକୀରମୋହନ ମେଡିକାଲ କଲେଜର କୁଳସଚିବ ମନୋରମା ଭୂୟାଁ, ଆଇଏମ୍ଆଇ- ଭୁବନେଶ୍ୱରର ପ୍ରଫେସର ଡ. ସୁପ୍ରିତୀ ମିଶ୍ର, ହରି ଗ୍ରୁପ୍ ଅଫ କମ୍ପାନୀର ନିର୍ଦ୍ଦେଶିକା ଅଲିଭା ଦାସ, ଇସିପି ଇଣ୍ଡଷ୍ଟ୍ରିଜ ଓ ଗ୍ଲେଜ୍ ଗ୍ରୁପର ନିର୍ଦ୍ଦେଶିକା ସୁପ୍ରୀତି ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ ଚଳିତବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ର ବିଷୟବସ୍ତୁ “ଇନଭେଷ୍ଟ ଇନ୍ ଓମେନ : ଆକ୍ସିଲରେଟ ପ୍ରୋଗ୍ରେସ ”(ମହିଳା ମାନଙ୍କ ଠାରେ ବିନିଯୋଗ: ତ୍ୱରାନ୍ୱିତ ପ୍ରଗତି) ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ଉଦବୋଧନରେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ ବିଶ୍ୱବିଦ୍ୟାଳୟର ସମସ୍ତ ମହିଳା ସହକର୍ମୀ, କର୍ମଚାରୀ ଓ ଛାତ୍ରୀମାନଙ୍କୁ ବିଶେଷ ସମ୍ମାନସ୍ପଦ ବାର୍ତ୍ତା ପ୍ରଦାନ କରିଥିଲେ । ମହିଳା ସୁରକ୍ଷା, ସଶକ୍ତୀକରଣ, ଓ ସମୃଦ୍ଧିର ଏକ ନୂତନ ଭାବଧାରା ସୃଷ୍ଟି ଓ ସମ୍ପର୍ଣ୍ଣ ଦିଗରେ ସମାଜ ସଚେତନ ହେଉଛି ତଥା ଏଥି ନେଇ ସମସ୍ତେ ଆତ୍ମବିଶ୍ୱାସ ସହ ଆଗେଇଯିବା ପାଇଁ ଉତ୍ସାହିତ କରିଥିଲେ । ପ୍ରଫେସର ଡ. ସୁପ୍ରିତୀ ମିଶ୍ର, ମହିଳାଙ୍କୁ ନିଜର ସ୍ୱତନ୍ତ୍ର ପରିଚୟ ଗଠନ ଓ ସମସାମୟିକ ଜୀବନରେ ନିଜର ସଶକ୍ତିକରଣ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ମହିଳା ଶକ୍ତିର ପ୍ରତୀକ, ଏହି ବାର୍ତ୍ତା ନେଇ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଜିନା ପ୍ରିୟଙ୍କା, ରଶ୍ମିରେଖା ରାଉତଙ୍କ ନେତୃତ୍ୱରେ ଛାତ୍ରୀମାନଙ୍କ ସହ ଏକ ସଂଗଠିତ ବାଇକ ରାଲିର ଆୟୋଜନ ହୋଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଓ ଅଣଶିକ୍ଷକ ମହିଳା କର୍ମଚାରୀଙ୍କ ପ୍ରଯୋଜିତ ଓଡ଼ିଶୀନୃତ୍ୟ, ସଂଗୀତ, କ୍ଷୁଦ୍ର ନାଟକ, କ୍ଷୁଦ୍ରଗଳ୍ପ ପଠନ, ନାଚ, ଫେସନ ସୋ ଆଦି ପରିବେଷଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ମୂଖ୍ୟ, ଅଣଶିକ୍ଷକ କର୍ମଚାରୀଙ୍କ ସହ ଛାତ୍ରୀଛାତ୍ରମାନଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା ।