ବାଲେଶ୍ୱର ଫୁଟବଲ ଲିଗ-୨୦୨୨ : ସରିଲା ଲିଗ୍ ପର୍ଯ୍ୟାୟ, ୮ରୁ ସୁପର ଲିଗ୍ ମ୍ୟାଚ୍
![](https://thetruths.in/wp-content/uploads/2022/09/Foot-Ball-Tournament-1024x683.jpg)
26273938 - football or soccer ball at the kickoff of a game with sunset
ମିଶନ ଟାଇଗର ଓ ମଧୁସୁଦନ କ୍ଲବ ବିଜୟୀ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ପରମିଟ ପଡ଼ିଆ ଠାରେ ଚାଲୁଥିବା ବାଲେଶ୍ୱର ସିନିୟର ଫୁଟବଲ ଲିଗ ଟୁର୍ଣ୍ଣାମେଣ୍ଟରେ ଶନିବାର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି । ଆସନ୍ତା ୮ ତାରିଖରୁ ସୁପର ଲିଗ୍ ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ ।
ଶନିବାର ପୂର୍ବାହ୍ନ ଅନୁଷ୍ଠିତ ବିଂଶତମ ଖେଳରେ ମିଶନ ଟାଇଗର କ୍ଲବ ଓ ଯବାନ ମାର୍ଶଲ କ୍ଲବ ମୁହାଁମୁହିଁ ହୋଇଥିଲେ । ମିଶନ ଟାଇଗର କ୍ଲବ ଦଳର ଶୁକୁଲ, ମିନା, ଗୋପାଳ, ବାଗୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଫଳରେ ମିଶନ ଟାଇଗର କ୍ଲବ ଯବାନ ମାର୍ଶଲ କ୍ଲବକୁ ୪/୦ ଗୋଲ ଦେଇ ବିଜୟୀ ହୋଇଥିଲା । ସେହିପରି ଅପରାହ୍ନରେ ଅନୁଷ୍ଠିତ ଏକବିଂଶତମ ମ୍ୟାଚ୍ ମଧୁସୁଦନ କ୍ଲବ ବନାମ ଦିବ୍ୟାଂଶି କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚେମଟୁ ସିଂ, ରୋସନ ସିଂ, ମାନସ ରାଉତ ଓ ଲିପୁ ସୋରେନଙ୍କ ଗୋଲ ସ୍କୋର ବଳରେ ମଧୁସୁଦନ କ୍ଲବ ୪/୦ ଗୋଲରେ ବିଜୟୀ ହୋଇଥିଲା । ଉଭୟ ମ୍ୟାଚ୍କୁ ସଲୀଲ ସିଂ, ପ୍ରଦିପ କୁମାର ଦାସ, ଚିରଞ୍ଜିତ ମାନ୍ନା, ଅଶୋକ କର ଓ କାର୍ତ୍ତିକ ଚନ୍ଦ୍ର୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।