କୁଅଁରପୁରରେ ଆୟୁଷ ଗ୍ରାମ ପ୍ରକଳ୍ପ ଉଦ୍ଘାଟିତ
![](https://thetruths.in/wp-content/uploads/2022/06/Ayush-Gram-1024x451.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ କୁଅଁରପୁର ଗ୍ରାମରେ ଭାରତ ସରକାରଙ୍କ ଜାତୀୟ ଆୟୁର୍ବେଦ ମିଶନ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳରେ ପ୍ରାକୃତିକ ଚିକିତ୍ସାପ୍ରଣାଳୀ ସହିତ ଜନସାଧାରଣ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆୟୁର୍ବେଦ ସମ୍ପର୍କିତ ସ୍ୱାସ୍ଥ୍ୟସେବା ପାଇଁ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଆୟୁଷ ଗ୍ରାମ ପ୍ରତିଷ୍ଠା କରାଯାଇଛି । ଆୟୋଜିତ ଉତ୍ସବରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆୟୁଷ ଗ୍ରାମ ପ୍ରକଳ୍ପକୁ ଉଦ୍ଘାଟନ କରି ଆୟୁର୍ବେଦ ଚିକିତ୍ସା କେବଳ ଏକ ଔଷଧିୟ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ନିରୋଗ ତଥା ସୁସ୍ଥ ଜୀବନ ଯାପନର ଏହା ଏକ ମାର୍ଗ ଅଟେ । ରୋଗ ଠାରୁ ଦୁରେଇ ରହିବାକୁ ଆୟୁର୍ବେଦ ସମ୍ମତ ନିୟନ୍ତ୍ରିତ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ ଦେଇଥିଲେ । ଏଥିରେ ମା’ ମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଆୟୁଷ ଗ୍ରାମ ପ୍ରତିଷ୍ଠା ଲୋକଙ୍କୁ ସହାୟତା ପ୍ରଦାନ କରିବ ବୋଲି ଆଶାପ୍ରକାଶ କହିଥିଲେ ।
ଜିଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡା. ବୈକୁଣ୍ଠନାଥ ମଲ୍ଲିକ ପୌରହିତ୍ୱ କରିଥିବା ବେଳେ ଜିଲା ଆୟୁର୍ବେଦ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସୁଧାଂଶୁ ଶେଖର ଦାସ ଆୟୁଷ ଗ୍ରାମ ପ୍ରତିଷ୍ଠାର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପଡ଼ିଡା ଯୋଗଦେଇ ରୋଗାଗ୍ରସ୍ତ ହେବା ଅପେକ୍ଷା ବେଳ ଥାଉ ଥାଉ ପ୍ରତିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ଆୟୁଷ ଗ୍ରାମର କର୍ମକର୍ତ୍ତାଙ୍କ ସହାୟତା ନେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁର୍ବେଦର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଜନସାଧାରଣଙ୍କ ବ୍ୟକ୍ତିଗତ ଖର୍ଚ୍ଚ ଓ ସରକାରୀ ଅନୁଦାନକୁ ମିଶାଇ ଦେଶରେ ପ୍ରତ୍ୟେକ ବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାଢ଼େ ୫ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୁଏ, ଯାହାକୁ ଭାରତର ଜିଡ଼ିପିର ଦେଢ଼ ପ୍ରତିଶତ । ବ୍ୟକ୍ତିଗତ ଖର୍ଚ୍ଚକୁ କମ୍ କରିବାକୁ ପ୍ରାକୃତିକ ଚିକିତ୍ସାପ୍ରଣାଳୀ ପର୍ଯ୍ୟବେଶିତ ନିୟନ୍ତ୍ରିତ ଜୀବନଯାପନ ପାଇଁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ଜିଲା ପରିଷଦ ସଦସ୍ୟା ବନଲତା ସେଠୀ, ରସାଳପୁର ସରପଞ୍ଚ ହରିପଦ ବେହେରା ଓ ଜିଲା ହୋମିଓପାଥିକ ଚିକିତ୍ସାଧିକାରୀ ଡା. ପ୍ରେମଲତା ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆୟୁଷ ଗ୍ରାମ ପ୍ରତିଷ୍ଠାର ଉପକାରିତା ତଥା ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ଜନସାଧାରଣ ସଚେତନ ହୋଇପାରିଲେ ଏକ ସୁସ୍ଥ ଓ ନିରୋଗ ସମାଜ ଗଠନ ହୋଇପାରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଶେଷରେ ଅଧ୍ୟାପକ ଡ. ଦିଲ୍ଲୀପ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯୋଗ ଓ ପ୍ରାଣାୟମର ବିଭିନ୍ନ ଆସନ ପ୍ରଦର୍ଶିତ ହୋଇଥିଲା । ପ୍ରାରମ୍ଭରେ କୁଅଁରପୁର ଗ୍ରାମସ୍ଥିତ ହୋମିଓପାଥିକ ଚିକିତ୍ସାଳୟ ପରିସରରେ ଔଷଧିୟ ବୃକ୍ଷ ରୋପଣ ସହିତ ଗ୍ରାମବାସୀମାନଙ୍କୁ ବିଭିନ୍ନ ଔଷଧିୟ ଚାରା ବଂଟନ କରାଯାଇଥିଲା । ଏହି ଅବସରରେ ଆୟୁଷ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା ।