ପ୍ରତିବନ୍ଧିତ ପିସ୍ତଲରେ ଅତିକ-ଅଶରଫଙ୍କୁ ହତ୍ୟା କରାଯାଇଛି
![](https://thetruths.in/wp-content/uploads/2023/04/25-2.jpg)
ପ୍ରୟାଗରାଜ : ମାଫିଆ ଅତିକ ଅହମ୍ମଦ ଏବଂ ତା’ର ଭାଇ ଅଶରଫକୁ ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜରେ ହତ୍ୟା ପରେ ଘଟଣାସ୍ଥଳରୁ ଯେଉଁ ଅସ୍ତ୍ରଶସ୍ତ୍ର ମିଳିଛି, ତାହା ଭାରତରେ ପ୍ରତିବନ୍ଧିତ ରହିଛି । ଜବତ ଅସ୍ତ୍ରଶସ୍ତ୍ରର ମୂଲ୍ୟ ୪ ରୁ ୫ ଲକ୍ଷ ଟଙ୍କା ହେବ । ଘଟଣା ଘଟାଇଥିବା ତିନି ଅଭିଯୁକ୍ତ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରିଛି ପୋଲିସ । ତେବେ ଏପରି ସ୍ଥଳେ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ, ଭାରତରେ ପ୍ରତିବନ୍ଧିତ ଥିବା ଏହିସବୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏହି ତିନି ଅଭିଯୁକ୍ତଙ୍କ ନିକଟକୁ ଆସିଲା କିପରି । କିଏ ଏମାନଙ୍କୁ ସହାୟତା ଯୋଗାଉଥିଲା । ସେନେଇ ଅଧିକ ଛାନଭିନ୍ ଜାରୀ ରଖିଛି ପୋଲିସ ।ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଏକ ପିସ୍ତଲ ଜବତ କରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହି ପିସ୍ତଲ ତୁର୍କିରେ ତିଆରି ହୋଇଥିବା ଜଣାପଡିଛି । ଜିଗାନା ମେଡ୍ ନାମରେ ଏହା ଜଣାଯାଇଥାଏ । ଏହି ପିସ୍ତଲର ମୂଲ୍ୟ ୪ରୁ ୫ ଲକ୍ଷ ଟଙ୍କା ହେବ । ଏହା ଭାରତରେ ସମ୍ପୂର୍ଣ୍ଣ ପ୍ରତିବନ୍ଧିତ ରହିଛି । ଭାରତରେ ପ୍ରତିବନ୍ଧିତ ଥିବା ଏହି ଜିଗାନା ମେଡ୍ ପିସ୍ତଲର ତସ୍କରୀ ପାକିସ୍ତାନ ଜରିଆରେ କରାଯାଇଥାଏ ।