ଆସାମରେ ଏକଛତ୍ରବାଦ ଓ ଘୃଣା ରାଜନୀତିର ଅବସାନ ଘଟିଛି : ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2022/04/PM-Narendra-Modi-13-1024x636.jpg)
ନୂଆଦିଲ୍ଲୀ : ଦିନିକିଆ ଆସାମ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶାନ୍ତି, ଏକତା ଓ ବିକାଶ ଜନସଭାରେ ଉଦବୋଧନ ଦେଇ ଏହା କହିଛନ୍ତି । ଆସାମର କର୍ବି ଆଙ୍ଗଲଙ୍ଗ ଜିଲାରେ ଅନୁଷ୍ଠିତ ଏହି ଜନସଭାରେ ସେ କହିଛନ୍ତି ଯେ, ଆଦିବାସୀ ସମାଜର ସାଂସ୍କୃତିକ ଐତିହ୍ୟ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଓ ଏକ ଭାରତ-ଶ୍ରେଷ୍ଠ ଭାରତକୁ ଅଧିକ ଶକ୍ତିଶାଳୀ କରିଛି । ଆଦିବାସୀ ସମାଜର ସଂସ୍କୃତି, ଭାଷା, ଖାଦ୍ୟ, କଳା ଓ ହସ୍ତଶିଳ୍ପ ଭାରତର ସମୃଦ୍ଧ ଐତିହ୍ୟ । ଆସାମରେ ଏକଛତ୍ରବାଦ ଓ ଘୃଣା ରାଜନୀତିର ଅବସାନ ଘଟିଛି । ଆସାମ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ରାଜ୍ୟରେ ଶାନ୍ତି ସ୍ଥାପିତ ହୋଇଛି । ଗତ ୮ବର୍ଷ ଧରି ସରକାର ଉତର-ପୂର୍ବାଂଚଳର ଅନେକ ସ୍ଥାନରୁ ଆଫସ୍ପା (ଏଏଫଏସପିଏ)କୁ ପ୍ରତ୍ୟାହାର କରିଆସୁଛନ୍ତି । ସେହି ସ୍ଥାନ ଗୁଡ଼ିକରେ ସ୍ଥାୟୀ ଶାନ୍ତି ସ୍ଥାପନ ହୋଇପାରିଛି । ବୋଡୋ ରାଜିନାମା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ଏହା ବାଟ ଖୋଲିଛି । ଗତବର୍ଷ ସେପ୍ଟେମ୍ବରରେ କର୍ବି ଆଙ୍ଗଲଙ୍ଗର ବହୁ ସଂଗଠନ ଶାନ୍ତି ଓ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
କେନ୍ଦ୍ର ସରକାର ଉତର ପୂର୍ବାଂଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିପାଇଁ ଶାନ୍ତି ରାଜିନାମା ଅଧୀନରେ ୧ହଜାର କୋଟି ଟଙ୍କା ଦିଆଯାଇଛି । ଗତବର୍ଷ ସେପ୍େଟମ୍ବର ମାସରେ ୬ଟି ଉଗ୍ରବାଦୀ ଗୋଷ୍ଠୀ ସହ ସେହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ସେ କହିଛନ୍ତି କାର୍ବି ଆଙ୍ଗଲଙ୍ଗ ଓ ଆସାମର ଅନ୍ୟାନ୍ୟ ଅଂଚଳର ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଆଜି ଯଦି କେହି ଉତର ପୂର୍ବାଂଚଳକୁ ଗସ୍ତ କରନ୍ତି ସେଠାରେ ସେମାନେ ବିକାଶର ସ୍ୱରୂପକୁ ଦେଖିପାରିବେ ଓ ଏଥିପାଇଁ ଗର୍ବ ଅନୁଭବ କରିବେ । ସରକାର ଆସାମର ଜନସାଧାରଣର ସମସ୍ୟାକୁ ବୁଝିଛନ୍ତି ଓ ସେଗୁଡ଼ିକ ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ୨ହଜାର ୬ଶହ ଅମୃତ ସରୋବର ନିର୍ମାଣ ପାଇଁ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ସେହି ସରୋବର ଗୁଡ଼ିକର ଆଦିବାସୀ ସମାଜରେ ସମୃଦ୍ଧ ପରମ୍ପରା ରହିଛି । ସେଗୁଡ଼ିକର ନିର୍ମାଣ ସହ ଗ୍ରାମ ଗୁଡ଼ିକରେ ଜଳ ସଂରକ୍ଷଣର ବ୍ୟବସ୍ଥା ହୋଇପାରିବ । ସେଗୁଡ଼ିକ ମଧ୍ୟ ଲୋକମାନଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ ।