ୟୁକ୍ରେନରୁ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଲେ ଆଉ ୩ହଜାର ଭାରତୀୟ
![](https://thetruths.in/wp-content/uploads/2022/03/3000-Indians-returned-by-special-flight-from-Ukraine.jpg)
ଏବେ ସୁଦ୍ଧା ଫେରିଲେଣି ୧୩ ହଜାର ୭ଶହ
ନୂଆଦିଲ୍ଲୀ : ‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ୱତନ୍ତ୍ର ବିମାନ ଜରିଆରେ ଆଜି ପ୍ରାୟ ତିନି ହଜାର ଭାରତୀୟ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଏଥିମଧ୍ୟରେ ୧୨ଟି ସ୍ୱତନ୍ତ୍ର ବେସାମରିକ ବିମାନ ଏବଂ ଭାରତୀୟ ବାୟୁସେନାର ୩ଟି ବିମାନ ରହିଛି । ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ୱତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୩ ହଜାର ୭ଶହ ଭାରତୀୟଙ୍କୁ ଫେରାଇ ଅଣାଯାଇଛି ।
୫୫ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ଫେରିଥିବା ଭାରତୀୟମାନଙ୍କ ସଂଖ୍ୟା ୧୧ ହଜାର ୭୨୮ରେ ପହଂଚିଛି । ଅପରେସନ ଗଙ୍ଗା ଅଧୀନରେ ଶନିବାର ସୁଦ୍ଧା, ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୨୬ ଟନ୍ ରିଲିଫ ସାମଗ୍ରୀ ଏସବୁ ରାଷ୍ଟ୍ରକୁ ପରିବହନ କରାଯାଇଛି । ଗତ ଶୁକ୍ରବାର ହିଣ୍ଡନ ଏୟାର ବେସରୁ ଉଡ଼ାଣ ଆରମ୍ଭ କରିଥିବା ଭାରତୀୟ ବାୟୁସେନାର ତିନୋଟି ଅଧିକ ଓଜନ ପରିବହନକାରୀ ସି-୧୭ ବିମାନ ପୁଣିଥରେ ଆଜି ସକାଳେ ହିଣ୍ଡନ ଏୟାରବେସକୁ ଫେରିଛି । ଏସବୁ ବିମାନ ଜରିଆରେ ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ୬୨୯ ଜଣ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରି ଅଣାଯାଇଛି । ଏହାଛଡ଼ା ଏହି ତିନୋଟି ବିମାନ ଜରିଆରେ ୧୬.୫ ଟନ୍ ରିଲିଫ ସାମଗ୍ରୀ ଭାରତରୁ ଏସବୁ ରାଷ୍ଟ୍ରମାନଙ୍କୁ ପଠାଯାଇଛି । ଗୋଟିଏକୁ ଛାଡ଼ି ସବୁ ବେସାମରିକ ବିମାନ, ଶନିବାର ସକାଳେ ଭାରତରେ ପହଂଚିଛନ୍ତି ।