ଆମ୍ବହତା-ରାମପୁର କେନାଲ କେନାଲ ରାସ୍ତା ନିମ୍ନମାନ ରାସ୍ତାର ଭିଜିଲାନ୍ସ ତଦନ୍ତ କଲେ ଗ୍ରାମବାସୀ
![](https://thetruths.in/wp-content/uploads/2023/02/khaira1-Ambahata-rampur-canal-road.jpg)
ଖଇରା : ୨ବାଲେଶ୍ୱର ଭଦ୍ରକ,ମୟୁରଭଞ୍ଜ ଓ କେନ୍ଦୁଝର ୪ଜିଲାକୁ ସଂଯୋଗ କରୁଥିବା ଚରମ୍ପା ବ୍ରାଞ୍ଚ କେନାଲ ରାସ୍ତା କିଛି ମାସ ତଳେ ଆମହତା ଠାରୁ ଆରମ୍ଭ ହୋଇ ରାମପୁର ପର୍ଯ୍ୟନ୍ତ ପହଞ୍ଚିଛି । ଏହା ନିମ୍ନମାନର ହେଉଥିବା ନେଇ ଆମ୍ବହତା, ରାମପୁର, ରଟିଣା, ସାନକମାରୀ, ଗଡସାହି ଗ୍ରାମର ଅଧିବାସୀ ସମେତ କେନ୍ଦୁଝର ରୁ ବାଲେଶ୍ୱର ଏବଂ ଭଦ୍ରକ ଯାତାୟାତ କରୁଥିବା ଯାତ୍ରୀ ମାନେ ଅଭିଯୋଗ କରିଛନ୍ତି । ନିମ୍ନମାନର ରାସ୍ତାର ଭିଜିଲାନ୍ସ ତଦନ୍ତ କରାଯିବା ସହ ଠିକାଦାରଙ୍କୁ କଳାତାଲିକାଭୁକ୍ତ କରିବାକୁ ଦାବୀ କରାଯାଇଛି । ଯାତାୟତ ଖର୍ଚ୍ଚକାଟ ଲାଗି ଉପରୋକ୍ତ ୪ଜିଲାର ବହୁ ସଂଖ୍ୟାର ବାସିନ୍ଦା ଆମ୍ବହତା-ଚରମ୍ପା କେନାଲ ରାସ୍ତା ଦେଇ ଯାଆସ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଚରମ୍ପା,ରାଣିତାଲ ଓ ଗୋପାଳପୁର ଡିଷ୍ଟ୍ରିବ୍ୟୁଟୋରୀ ର ପାଶ୍ୱର୍ ରାସ୍ତା ପାଇଁ ପାଖାପାଖି ୫କୋଟି ଟଙ୍କା ମଞ୍ଜୁରୀ ମିଳିଛି । ୨ମାସ ତଳେ ଆମ୍ବହତା ନିକଟରି ରାସ୍ତା ନିର୍ମାଣ ଆରମ୍ଭ ହୋଇଛି । ହେଲେ ରାସ୍ତା ଯଥେଷ୍ଟ ଅଣ ଓସାରିଆ ହେବା ସହ ମୋରମ ବଦଳରେ ମାଙ୍କଡା ମାଟି,କାଦୁଅମିଶା ବାଲି ବ୍ୟବହାର ହେବା ସ୍ଥାନୀୟ ଗ୍ରାମବାସୀ ମାନେ ଏହାକୁ ପ୍ରବଳ ବିରୋଧ କରିଛନ୍ତି । ଏହାର ସ୍ଥାୟିତ୍ୱ କୁ ନେଇ ଗ୍ରାମବାସୀ ମାନେ ପ୍ରଶ୍ନ ଉଠାଇଛନ୍ତି । ସବୁଠାର ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଥିବା ସ୍ଥାନରେ ସୂଚନା ଫଳକ ଲଗାନଯାଇ ଯାତ୍ରୀଙ୍କୁ ଅନ୍ଧକାରରେ ରଖାଯାଇଛି । ଏହା ପ୍ରତିବାଦରେ ରଟିଣା ଗ୍ରାମର ଦୟାନିଧି ପରିଡା,ବାବାଜି ରାଉତ,ପ୍ରଫୁଲ୍ଲ ବେହେରା,ଅର୍ଜୁନ ବେହେରା,ବାବୁରାମ ଶତପଥି,ବାବୁ ମିଶ୍ର ଙ୍କ ସମେତ ଶତାଧିକ ଗ୍ରାମବାସୀ ସରଜମିନ ତଦନ୍ତ ପାଇଁ ସାଳନ୍ଦୀ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏ ସମ୍ପର୍କରେ ଖଇରା ସବଡିଭିଜନର ସହକାରୀ ଯନ୍ତ୍ରୀ ଦଶରଥ ମୁର୍ମୁଙ୍କୁ ଯୋଗାଯୋଗ କରିବାରେ ରାସ୍ତା କାମ ଠିକ ଭାବେ ଚାଲିନଥିବା ନେଇ ତାଙ୍କ ନିକଟରେ ପହଞ୍ଚିଛି । ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।