ମହାବିଦ୍ୟାଳୟର ଦୁର୍ନିତୀକୁ ଧରୁଥିବାରୁ ଆକ୍ରୋଶମୂଳକ ଭାବେ ବଦନାମ କରାଯାଉଛି : ଅଧ୍ୟକ୍ଷ
ନୀଳଗିରି : ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ସ୍ଥିତ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ନାୟକଙ୍କ ଦ୍ୱାରା ବୁଧବାର କଲେଜ ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, କିଛି ମାସ ପୂର୍ବରୁ ତାଙ୍କ ବିରୋଧରେ ମହାବିଦ୍ୟାଳୟ ୨କର୍ମଚାରୀ ଥାନାରେ ଦ୍ୱାରସ୍ଥ ହେବା ଏବଂ ଏବେ ପୁଣି ଜନୈକ କିରାଣୀ ଅସଦାଚରଣ ଘଟଣାରେ ଥାନାରେ ଅଭିଯୋଗ କରିବା ଘଟଣାକୁ ଖଣ୍ଡନ କରିବା ସହ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । ସେ ଯୋଗଦେବା ପରେ ବିଭିନ୍ନ ଦୁର୍ନିତୀକୁ ଧରିବାରୁ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ବଦନାମ କରାଯାଉଥିବାର ସୂଚନା ଦେଇଛନ୍ତି ।
ସୂଚନା ଯେ, ଦୀର୍ଘଦିନ ଧରି ମିତ୍ରପୁର ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟର କିଛି କର୍ମଚାରୀ ପିଲାଙ୍କ ଅର୍ଥକୁ ତୋଷାରପାତ କରିଆସୁଥିଲେ । ଅଧ୍ୟକ୍ଷ ଶ୍ରୀ ନାୟକ ଯୋଗଦେବା ପରେ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଟଙ୍କା କିଛି କର୍ମଚାରୀ ଆତ୍ମସାତ କରୁଥିବା ନେଇ ଜାଣିବାକୁ ପାଇଥିଲେ । ପିଲାମାନଙ୍କର ଆଡ଼ମିଶନ ବାବଦରେ ଆଦାୟ କରାଯାଇଥିବା ଅର୍ଥକୁ ମଧ୍ୟ ହରିଲୁଟ କରାଯାଉଥିଲା । ଏପରିକି ମନି ରସିଦ ବହିରେ ମୁଖ୍ୟ କପିରେ ଆଦାୟ ହୋଇଥିବା ଟଙ୍କାର ପରିମାଣ ସଠିକ୍ ଭାବେ ଲେଖାଥିବା ବେଳେ କାର୍ବନ କପିରେ ଏହାକୁ ଟେମ୍ପରିଂ କରାଯାଇ ବହୁ କମ ଟଙ୍କା ଲେଖାଯାଇଥିବାର ଦେଖିବାକୁ ପାଇଥିଲେ । ଏନେଇ ଅଧ୍ୟକ୍ଷ ଶ୍ରୀ ନାୟକ ନୀଳଗିରି ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଉପଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ମହାବିଦ୍ୟାଳୟରେ ୨କର୍ମଚାରୀଙ୍କୁ ଅସ୍ଥାୟୀ ଚାକିରୀରୁ ବହିଷ୍କାର କରାଯାଇଥିଲା । ସେହିପରି ମହାବିଦ୍ୟାଳୟର ଅସ୍ଥାୟୀ କିରାଣୀ ଜଣକ ଅଧ୍ୟକ୍ଷଙ୍କ ଅଗୋଚରରେ ଭୁଲ ନଥିପତ୍ର ଦର୍ଶାଇ ମନଇଚ୍ଛା କାର୍ଯ୍ୟ କରୁଥିବା ବେଳେ ଏହାକୁ ଅଧ୍ୟକ୍ଷ ଶ୍ରୀ ନାୟକ ତାଗିଦ୍ କରିଥିଲେ । ଫଳରେ କିରାଣୀ ଜଣକ ତାଙ୍କ ନାମରେ ମିଥ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି । ୨ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ଘଟଣା ଓ କିରାଣୀଙ୍କ ମନଇଚ୍ଛା କାର୍ଯ୍ୟକୁ ବିରୋଧ କରିଥିବାରୁ ଏହାର ପ୍ରତିବାଦରେ କୌଣସି କାରଣ ନ ଥାଇ ଅଯଥାରେ ମିଥ୍ୟା ଅଭିଯୋଗ, ଅପପ୍ରଚାର ଓ ରାଜନୈତିକ କରଣ କରୁଥିବାର ଅଧ୍ୟକ୍ଷ ଶ୍ରୀ ନାୟକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।