ସର୍ଭେ ଅନୁସାରେ ଗୁଜୁରାଟରେ ହେବ ବଡ଼ ପରିବର୍ତ୍ତନ ! ଜାଣନ୍ତୁ ବିଜେପି ପୁଣି ଗଢ଼ିବ ସରକାର, ନା ଆମ୍ ଆଦମୀ ପାର୍ଟି ବିଗାଡ଼ିବ ଖେଳ
![](https://thetruths.in/wp-content/uploads/2022/08/Gujarat-Opinion-Poll-2022.jpg)
ନୂଆଦିଲ୍ଲୀ : ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦୁଇଟି କାରଣ ପାଇଁ ଚଳିତ ବର୍ଷର ବିଧାନସଭା ନିର୍ବାଚନ ଉପରେ ଲୋକଙ୍କ କୌତୂହଳ ବଢ଼ିଛି । ପ୍ରଥମଟି ହେଉଛି ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପଦ୍ମ ଫୁଟାଇବାରେ ସକ୍ଷମ ହେବ ନା କ୍ଷମତା ଅନ୍ୟ କାହା ହାତରେ ଯିବ? ଗୁଜୁରାଟ ନିର୍ବାଚନ କିଛି ମାସ ମଧ୍ୟରେ ହେବ । ପ୍ରାୟ ୩ ଦଶନ୍ଧି ଧରି ସେଠାରେ ବିଜେପି କ୍ଷମତାରେ ଅଛି । ୨୦୦୧ ପୂର୍ବରୁ ମଧ୍ୟ, ୨୦୦୧ ପରେ ତ ବିନା ସନ୍ଦେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍ ଗୁଜୁରାଟରେ ବିଜେପିକୁ କ୍ଷମତାରେ ରଖିଛି । କିନ୍ତୁ ଏଥର କ’ଣ ହେବ? କାରଣ ଆପଣ ନିଶ୍ଚିତ ଭାବରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତ ଦେଖିଥିବେ । ତାଙ୍କର ବିଜୟର ଦାବି ନିଶ୍ଚୟ ଶୁଣିଥିବେ । ମାଗଣା ଦେବାର ପ୍ରତିଶୃତି ମଧ୍ୟ କରୁଛନ୍ତି । କଂଗ୍ରେସ ମଧ୍ୟ ଜୋର ଲଗାଉଛି । ସେପଟେ ହାର୍ଦ୍ଦିକ ପଟେଲଙ୍କ ପରି ପାଟିଦାର ନେତା ବିଜେପିରେ ଯୋଗ ଦେଇଛନ୍ତି ।
ଟାଇମ୍ସ ନାଉ ନବଭାରତ ଇଟିଜି ରିସର୍ଚ୍ଚ ସହ ମିଶି ଏକ ସର୍ଭେ କରିଛି । ଏହି ସର୍ଭେରେ ଗୁଜୁରାଟର ଭୋଟରଙ୍କ ମୁଡକୁ ଜାଣିବା ପାଇଁ ପ୍ରୟାସ କରାଯାଇଥିଲା । ଏହି ସର୍ଭେ ଗୁଜୁରାଟରେ ଆପ କେତେ ବଡ଼ ଫ୍ୟାକ୍ଟର, ଗୁଜୁରାଟର ସମସ୍ୟା କ’ଣ ଏବଂ ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ କାହାକୁ କେତେ ଆସନ ମିଳିବ ତାହା ଜାଣିବାକୁ ପ୍ରୟାସ କରିଛି । ଏହି ସର୍ଭେ ପାଇଁ ସର୍ଭେ ଏଜେନ୍ସି ଇଟିଜି ରିସର୍ଚ୍ଚ ଦ୍ୱାରା ନିଆଯାଇଥିବା ନମୁନା ଆକାର ହେଉଛି ୪୫୪୦ । ଏହି ସର୍ଭେରେ ରେଣ୍ଡୋମ କଲିଙ୍ଗ ଓ ଲୋକଙ୍କ ମଧ୍ୟରେ ଯାଇ ମତାମତ ନେବାକୁ ପଦ୍ଧତି ଗ୍ରହଣ କରାଯାଇଛି ।
୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଉଚ୍ଚଜାତିଙ୍କ ୫୫ ପ୍ରତିଶତ, ପାଟିଦାର ବା ପଟେଲଙ୍କ ୬୧ ପ୍ରତିଶତ, ଓବିସି କ୍ଷତ୍ରୀୟ ବା ଠାକୁରଙ୍କ ୪୫ ପ୍ରତିଶତ, କୋଲି ବା ଅନ୍ୟ ଓବିସିଙ୍କ ୫୨ ପ୍ରତିଶତ, ଦଳିତଙ୍କ ୩୯ ପ୍ରତିଶତ, ଆଦିବାସୀଙ୍କ ୪୫ ପ୍ରତିଶତ ଏବଂ ମୁସଲମାନମାନଙ୍କ ୨୭ ପ୍ରତିଶତ ଭୋଟ ପାଇଥିଲା । ସେହିପରି କଂଗ୍ରେସ ଉଚ୍ଚଜାତିଙ୍କ ୩୬ ପ୍ରତିଶତ, ପାଟିଦାର ବା ପଟେଲଙ୍କ ୩୫ ପ୍ରତିଶତ, ଓବିସି କ୍ଷତ୍ରୀୟ ବା ଠାକୁରଙ୍କ ୪୫ ପ୍ରତିଶତ, କୋଲି ବା ଅନ୍ୟ ଓବିସିଙ୍କ ୩୮ ପ୍ରତିଶତ, ଦଳିତଙ୍କ ୫୩ ପ୍ରତିଶତ, ଆଦିବାସୀଙ୍କ ୪୪ ପ୍ରତିଶତ ଏବଂ ମୁସଲମାନମାନଙ୍କ ୬୪ ପ୍ରତିଶତ ଭୋଟ ପାଇଥିଲା । ଅନ୍ୟପଟେ ଅନ୍ୟମାନେ ଉଚ୍ଚଜାତିଙ୍କ ୯ ପ୍ରତିଶତ, ପାଟିଦାର ବା ପଟେଲଙ୍କ ୪ ପ୍ରତିଶତ, ଓବିସି କ୍ଷତ୍ରୀୟ ବା ଠାକୁରଙ୍କ ୧୦ ପ୍ରତିଶତ, କୋଲି ବା ଅନ୍ୟ ଓବିସିଙ୍କ ୧୦ ପ୍ରତିଶତ, ଦଳିତଙ୍କ ୮ ପ୍ରତିଶତ, ଆଦିବାସୀଙ୍କ ୧୧ ପ୍ରତିଶତ ଏବଂ ମୁସଲମାନମାନଙ୍କ ୯ ପ୍ରତିଶତ ଭୋଟ ପାଇଥିଲା ।
ଏହି ସର୍ଭେ ଅନୁଯାୟା, ଆଜି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲେ ବିଜେପିକୁ ୧୧୫-୧୨୫ ଆସନ ମିଳିବ । ସେହିପରି କଂଗ୍ରେସକୁ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିବ । ଦଳକୁ ୩୯-୪୪ ଆସନ ମିଳିପାରେ । ସେପଟେ ଆମ୍ ଆଦମୀ ପାର୍ଟି ବା ଆପକୁ ବଡ଼ ଲାଭ ହେଉଥିବାର ଦେଖିବାକୁ ମିଳୁଛି । ଦଳକୁ ୧୩-୧୮ଟି ଆସନ ମିଳିବ । ଅନ୍ୟମାନେ ୨-୪ ଆସନ ପାଇପାରେ ।