ପେଟର ଚର୍ବି କମାଇ ଥାଏ ନୌକାସନ ! ଜାଣନ୍ତୁ କିପରି କରିବେ ଓ ଏହାର ଲାଭ

ସମୟ ବଦଳିବା ସହ ବଦଳିଛି ଲୋକମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା । ପରିବାର ପାଇଁ ରୋଜଗାର, ରୋଜଗାର ପାଇଁ ହାଡ଼ଭଙ୍ଗା ଖଟଣୀ ଏବଂ ଏଥି ସକାଶେ ଉତ୍ପନ ହେଉଥିବା ମାନସିକ ଅବସାଦ ଓ ଦୁଶ୍ଚିନ୍ତା । ଅତ୍ୟାଧୁନିକ ଦୁନିଆରେ ଆମେ ସତେ ଯେମିତି ଏକ ରୋବଟ ଭଳି କାମ-ଘର-ଘର-କାମ କରୁଛେ । ହସ ଖୁସି ସ୍ନେହ କଥା ଏମିତି ସମୟରେ କିଏ ପଚାରେ । ରୋଜଗାର କର ଆୟ ବଢ଼ାଅ ପରିବାରର ଯତ୍ନ ନିଅ । ଏଭଳି ସମୟରେ ଆମେ ମଣିଷରୁ ଯନ୍ତ୍ର ପାଲଟି ଯାଇଥାନ୍ତି ଏବଂ ଯାହା ସବୁଠାରୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଯୌନଜୀବନ ବା ଯୌନଚର୍ଯ୍ୟାକୁ ଅଣଦେଖା କରିଦେଇଥାଉ ।ଏହାର କୁପ୍ରଭାବ ଧିରେ ଧିରେ ଆମ ମାନସିକ ଏବଂ ପରେ ଶାରୀରିକ ସ୍ତରରେ ଦେଖିବାକୁ ମିଳେ । ଘର ସଜାଡୁ ସଜାଡୁ ଆମେ କେତେବେଳେ ନିଜ ଘର ତାସର ଘର ପରି ଭାଙ୍ଗିବାରେ ଆମର କୁଅଭ୍ୟାସ ହିଁ ଦାୟୀ ହୋଇପଡ଼େ ତାହା ଆମେ ମଧ୍ୟ ଜାଣିନଥାଉ ଏଣୁ ଆଜି ଆମେ ସେହି ସବୁ ସମସ୍ୟାର ସମାଧାନ କେମିତି ଯୋଗ ମାଧ୍ୟମରେ କରିବା ସେ ନେଇ ଆଲୋଚନା କରିବା ।
ବର୍ତ୍ତମାନର ଧାଁ ଧଉଡ଼ ଜୀବନ ମଧ୍ୟରେ ଆମେ ନିଜର ଶରୀର ପ୍ରତି ଖୁବ୍ ଅଣଦେଖା କରୁଛନ୍ତି । ଖେଳ କୁଦ ନାହିଁ, ଯୋଗାଭ୍ୟାସ ନାହିଁ କି ସନ୍ୟାସୀ ଜୀବନ ଭଲି ଇଶ୍ୱର ଭକ୍ତି ଓ ଶ୍ରଦ୍ଧା ପାଇଁ ସମୟ ଦେଉନାହୁଁ ।ଏହାର ସିଧାସଳଖ ପ୍ରଭାବ ଆମର ମାନସିକ ଭାରସାମ୍ୟକୁ ବିଗାଡ଼ିବାରେ ପ୍ରମୁଖ କାରଣ ପାଲଟିଥାଏ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ, ମାନସିକ ଶାନ୍ତି ପାଇଁ ଯୋଗ, ବିଭିନ୍ନ ପ୍ରକାର ରୋଗର ନିରାକରଣ ପାଇଁ ଯୋଗ, ଯୌନଜୀବନକୁ ସରସ ଓ ସୁନ୍ଦର କରିବା ପାଇଁ ଯୋଗ ଇତ୍ୟାଦି ସାମିଲ । ଯୋଗର ସବୁ ଆସନ ଅଭ୍ୟାସ କରି ନିଜକୁ ଓ ନିଜ ପରିବାର, ଆତ୍ମୀୟଙ୍କୁ ସୁସ୍ଥ ଜୀବନ ଦେବାରେ ସହାୟ ହୁଅନ୍ତୁ ।
ଏହି ପରିପ୍ରେକ୍ଷୀରେ ଏକ ଯୋଗ ନୌକାସନ । ଯାହା ନୌକାସନ ଯୋଗ କେବଳ ଓଜନକୁ ଦ୍ରୁତ ବେଗରେ କମ କରିବାରେ ସହାୟକ ହୋଇ ନ ଥାଏ, ବରଂ ଏହା ଶରୀରକୁ ଉତ୍ତମ ଗଢ଼ଣ ଦେଇଥାଏ। ନିୟମିତ ଏହାର ଅଭ୍ୟାସ କରିବା ଫଳରେ ମାଂସପେଶୀ ମଜବୁତ ହୋଇଥାଏ, କାନ୍ଧରେ ଯନ୍ତ୍ରଣା, ପିଠିରେ ଯନ୍ତ୍ରଣା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ କିପରି ଓ କେତେ ସମୟ ଏହି ଆସନ କଲେ ସୁସ୍ଥ ଓ ସୁନ୍ଦର ଶରୀର ପାଇପାରିବେ ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍ ସୂଚନା।
ପେଟର ଚର୍ବି କମ କରେ :
ନୌକାସନ ପେଟର ଚର୍ବିକୁ କମ କରିବା ସହିତ ଅତିରିକ୍ତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ପେଟର ଚର୍ବି ବର୍ଣ୍ଣ କରିବାର ସବୁ ଠାରୁ ସହଜ ଉପାୟ। ପେଟର ଚର୍ବି କମାଇବା ପାଇଁ ଆମେ ଖାଇବାରେ ନିୟନ୍ତ୍ରଣ ଆଣିଥାଉ। ବିଭିନ୍ନ ପ୍ରକାର ଡାଏଟ୍ ଚାର୍ଟ ଅନୁଯାୟୀ ଆମେ ଖାଦ୍ୟ ଖାଉ। ତେବେ ଏସବୁ ସହିତ ୧୦ରୁ ୧୫ମିନିଟ୍ ଯଦି ନୌକାସନ କରନ୍ତି ତେବେ ପେଟର ଚର୍ବି କମିବ, ସିକ୍ସ ପ୍ୟାକ୍ ଆବ୍ସ ସହ ଶରୀରର ଅନ୍ୟ ଆଭନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିପାରିବେ।
ଚାପ ଦୂର କରେ, ଅବସାଦରୁ ଦୂରେଇ ରଖେ :
ନୌକାସନ ଚାପ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ମନକୁ ଶାନ୍ତ ରଖିଥାଏ ଓ ଅବସାଦ ସମସ୍ୟାରୁ ମଧ୍ୟ ଦୂରେଇ ରଖିଥାଏ। ଏହା ଆପଣଙ୍କ ମୁଡକୁ ଉତ୍ତମ ରଖିବାରେ ସାହାଯ୍ୟ କରିବା ସହିତ ମାଂସପେଶୀକୁ ମଜବୁତ କରିଥାଏ।
କିପରି କରିବେ:
ଆସନ ଉପରେ ଉପରକୁ ମୁହଁ କରି ସିଧା ଶୋଇ ରୁହନ୍ତୁ। ଦୁଇ ହାତକୁ ଶରୀରର ଦୁଇ ପାଖରେ ସିଧାରଖନ୍ତୁ। ଏହି ଆସନରେ ରିଲାକ୍ସ ରହି କିଛି ସମୟ ସ୍ୱାଭାବିକ ଶ୍ୱାସକ୍ରିୟା କରନ୍ତୁ। ଏହାପରେ ଏକ ଲମ୍ବା ଶ୍ୱାସ ନିଅନ୍ତୁ ଓ ଏହା ସହିତ ଦୁଇ ଗୋଡ଼କୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଗୋଡ଼ ଉଠାଇବା ସମୟରେ ଗୋଡ଼କୁ ସିଧା ରଖିବେ। ଗୋଡ଼ ଉଠାଇବା ସହିତ ଦୁଇ ହାତ ସହ ଶରୀରକୁ ମଧ୍ୟ ଉପରକୁ ଉଠାଇ ହାତ ଆଙ୍ଗୁଠିକୁ ପାଦକୁ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ।
୧୦ରୁ ୧୫ ସେକେଣ୍ଡ ଏହି ଆସନରେ ରହିବା ସହ ଶ୍ୱାସକୁ ଧରି ରଖନ୍ତୁ। ଏବେ ଧୀରେ ଧୀରେ ଶ୍ୱାସ ଛାଡନ୍ତୁ ଓ ପୂର୍ବ ପରି ଆସନରେ ସିଧା ଶୋଇଯାଆନ୍ତୁ। ଏହି ପରି ଭାବେ ୩ରୁ ୪ଥର ଅଭ୍ୟାସ କଲେ ଶରୀର ସୁସ୍ଥ ରହିଥାଏ।
ଲାଭ:
ଏହା ପେଟର ଚର୍ବି କମ୍ କରେ। ହଜମ ଶକ୍ତି ବଢ଼ାଏ। ଯେଉଁମାନେ ସିକ୍ସ ପ୍ୟାକ୍ ଆବ୍ସ ଚାହାନ୍ତି, ସେମାନଙ୍କ ପାଇଁ ଏହି ଆସନ ବେଶ ଉପଯୋଗୀ। ଏହି ଆସନ ପାନକ୍ରିଆ, ଲିଭର ଓ ଲଙ୍ଗ୍ସକୁ କାର୍ଯ୍ୟକ୍ଷମ କରାଏ। ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହୋଇଥାଏ। ଏହି ଆସନ କରିବା ଦ୍ୱାରା ନିତମ୍ବ, ଜଙ୍ଘ, ବେକ ଏବଂ କାନ୍ଧ ମାସଂପେଶୀ ଶକ୍ତ ହୁଏ। ପ୍ରୋଷ୍ଟ୍ରେଟ୍ ଗ୍ଲାଣ୍ଡ୍ ଓ କିଡନୀକୁ ଉତ୍ତମ ରୂପେ କାର୍ଯ୍ୟକ୍ଷମ କରାଏ।