ଆଜିଠାରୁ କଂଗ୍ରେସର ଦୁଇଦିନିଆ ନବସଂକଳ୍ପ ଶିବିର
![](https://thetruths.in/wp-content/uploads/2022/06/Congress-Flags-1024x683.jpg)
ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଉଦୟପୁର ଠାରେ ଅନୁଷ୍ଠିତ ହୋଇଥିବା ନବଂସକଳ୍ପ ଶିବିରର ନିଷ୍ପତି ଅନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇଦିନ ବ୍ୟାପି ନବ ସଂକଳ୍ପ ଶିବିର ଆୟୋଜିତ ହେବ । ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସ୍ ସଭା ଗୃହରେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ନବ ନିଯୁକ୍ତ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହେବ ।
କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଜି.ରୁଦ୍ର ରାଜୁ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୁଧବାର ବୈଠକରେ ସମସ୍ତ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନର ସାଂସଦ ଓ ବିଧାୟକ ପ୍ରାର୍ଥୀ, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏଆଇସିସି କର୍ମକର୍ତା ଓ ପୂର୍ବତନ କର୍ମକର୍ତା, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେବେ ।
ସେହିଭଳି ୨ ତାରିଖ ଗୁରୁବାର ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସଂପାଦକ (ଓଡ଼ିଶା), ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିି ।