ବିବାହରେ ଯୋଗ ଦେବେ ସର୍ବମୋଟ ୫୦ ଜଣ
- ପ୍ରଶାସନକୁ ଦେବାକୁ ପଡିବ ଅତିଥି ତାଲିକା , ପ୍ରୋସେସନ୍ କଲେ ଜବତ ହେବ ଗାଡି
ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ସରକାର ଆସନ୍ତା ୨୪ ତାରିଖରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ କରିବାକୁ ଘୋଷଣା କରିଛନ୍ତି । ତେବେ ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ନୂଆ ନିୟମ ଜାରି କରିଛନ୍ତି । ନୂଆ ନିୟମ ମୁତାବକ ବାହାଘରରେ ସ୍ୱର୍ମୋଟ ୫୦ ଜଣ ହିଁ ରହିପାରିବେ । ଏମାନଙ୍କ ମଧ୍ୟରେ ବ୍ରାହ୍ମଣ, କ୍ୟାଟରିଂ ଓ ପରିବାର ଲୋକ ଅନ୍ତର୍ଭୁକ୍ତ ରହିବେ । ଯେଉଁ ୫୦ ଜଣ ଲୋକ ରହିବେ ସେମାନଙ୍କ ତାଲିକା ପ୍ରଶାସନକୁ ପୂର୍ବରୁ ଦିଆଯିବ ।
ନିର୍ଦ୍ଧାରିତ ଦିନର ୨୪ ଘଂଟା ପୂର୍ବରୁ ପ୍ରଶାସନକୁ ସମସ୍ତ ଅତିଥିଙ୍କ ତାଲିକା ଦିଆଯିବ । ଯେଉଁମାନେ ବାହାଘରକୁ ଆସିବେ ସେମାନଙ୍କ ନାମ ବାହାଘର ହେଉଥିବା ସ୍ଥାନରେ ମାରିବାକୁ ନିୟମ କରାଯାଇଛି । ଅନୁମତି ନ ନେଇ କିମ୍ବା ନିୟମ ଭାଙ୍ଗି ବାହାଘର କିମ୍ବା ପ୍ରୋସେସନ କଲେ ବ୍ୟବହୃତ ଗାଡି, ଡିଜେ,ସାଉଣ୍ଡ ଇତ୍ୟାଦି ଜିନିଷ ଜବତ ହେବ । ନିୟମ ଭାଙ୍ଗିଲେ ଉଭୟ ଆୟୋଜକ ଓ ଭେନ୍ୟୁ ମାଲିକ ଉପରେ କୋଭିଡ ନିୟମ ଉଲଙ୍ଘନ ମାମଲା ରୁଜୁ ହେବ ଓ ଭେନ୍ୟୁ ସିଲ କରାଯିବ । ସେହିପରି ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ହିଁ ରହିପାରିବେ । ଏମାନଙ୍କ ମଧ୍ୟରେ ପରିବାର ସଦ୍ୟ ଓ ବ୍ରାହ୍ମଣ ରହିବେ । ସେହିପରି ବାହାଘର ମଣ୍ଡପରେ ଯେଭଳି ସାମାଜିକ ଦୂରତା ବଜାୟ ରହିବ, ସେ ବାବଦରେ ଆୟୋଜନକାରୀ ନଜର ରଖିବେ । ଅନ୍ୟପକ୍ଷରେ ଜନ୍ମବାର୍ଷିକୀ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧବାର୍ଷିକୀ ଭଳି ସାମାଜିକ ଉତ୍ସବଗୁଡ଼ିକ ଘର ଭିତରେ ହିଁ ଅନୁଷ୍ଠିତ ହେବ । ପରିବାରର ସଦସ୍ୟ ଏକାଠି ହୋଇ ଏହା ପାଳନ କରିପାରିବେ । ଏହି ଉତ୍ସବକୁ ବାହାରର ଅତିଥି ଯୋଗ ଦେଇ ପାରିବେ ନାହିଁ ।