ମା ବୁଢ଼ୀ ଠାକୁରାଣୀଙ୍କ ମେଲାଣି ପର୍ବ ଆରମ୍ଭ

- ଆଜି ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପରୁ ମନ୍ଦିରକୁ ଯାତ୍ରା କରିବେ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜି ଉଦଯାପିତ ହେବାକୁ ଯାଉଛି । ଭାବ ବିହ୍ୱଳ ପରିବେଶ ମଧ୍ୟରେ ୧୪୪ ଧାରା ମଧ୍ୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ବିଳମ୍ବିତ ରାତିରେ ମାଆ ସାଆନ୍ତାଣୀ ବାପାଘରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ଏଥିପାଇଁ ଯାତ୍ରା ପରିଚାଳକ ଦେଶୀ ବେହେରାଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୦ ଦିନ ଧରି ବିନା ଭକ୍ତରେ ମା ବାପଘରେ ରହି ପୂଜା ପାଇ ଆସୁଥିଲେ । ବିଶ୍ୱ ମହାମାରୀ କରୋନାର ଦ୍ୱିତୀୟ ଲହର ଚଳିତ ବର୍ଷ ଯାତ୍ରାକୁ ଫିକା କରିଦେଇଛି । ପ୍ରଶାସନ ପକ୍ଷରୁ ମାଆଙ୍କ ଯାତ୍ରାର ଅବଧିକୁ ମାତ୍ର ୧୦ ଦିନରେ ସୀମିତ ରଖାଯାଇଥିଲା । କେବଳ ମାଆଙ୍କ ରହଣି ମଧ୍ୟରେ ଥରଟିଏ ଘଟ ପରିକ୍ରମା ବାହାରିଥିଲା । ମା ରାଜବାଟୀକୁ ଯାଇ ମହୁରୀ ରାଜାଙ୍କୁ ଦର୍ଶନ ଦେଇ ସେଠାରୁ ଅସ୍ଥାୟୀ ମଣ୍ଡପକୁ ଫେରି ଆସିଥିଲେ । ଯାତ୍ରା ଆରମ୍ଭରୁ ଅସ୍ଥାୟୀ ମଣ୍ଡପରେ କେବଳ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଥିବା ବେଳେ ଚତୁର୍ଥ ଦିନରୁ ଯାତ୍ରାସ୍ଥଳିରେ ୧୪୪ ଧାରା ଜାରୀ କରାଯାଇଥିଲା । ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇ ସଶସ୍ତ୍ର ପୋଲିସ ବଳ ନିୟୋଜିତ ହୋଇଥିଲା । ଫଳରେ ଦର୍ଶନରୁ ବଂଚିତ ରହିଥିଲେ ଭକ୍ତ । ବାପା ଦେଶୀ ବେହେରାଙ୍କ ପକ୍ଷରୁ ରୀତିନୀତି ଅନୁଯାୟୀ ସମସ୍ତ ପ୍ରକାର ପୂଜାପାଠ ହୋଇଥିଲା । ଅନ୍ୟପକ୍ଷରେ ଆଜି ଶେଷ ଦିନରେ ଯାତ୍ରାସ୍ଥଳି ନିକଟରେ ମାନସିକବେଶଧାରୀଙ୍କୁ ଦେଖିବାକୁ ମିଳିଥିଲା । ଅସ୍ଥାୟୀ ମଣ୍ଡପ ବାହାରେ ମାଙ୍କୁ ପ୍ରଣାପ କରିବା ସହ ଭକ୍ତ ମାନେ ମାଙ୍କ ଆଶିଷ ଭିକ୍ଷା କରିଥିଲେ । ମାଙ୍କ ପ୍ରତ୍ୟାବର୍ତନ ଖବର ପାଇ ବହୁ ସଂଖ୍ୟାରେ ଧର୍ମଝଣ୍ଡା ନିକଟରେ ରହି ମାଙ୍କୁ ସ୍ମରଣକରି ପ୍ରାର୍ଥନା କରିଥିଲେ । ଆଜି ଅପରାହ୍ନରେ ମାଙ୍କୁ ଡ଼ାକରାରେ ଶହସ୍ରାକ୍ଷ ଘଟ ଆସିଛି । ଏହାପରେ ବାପ ଘର ପକ୍ଷରୁ ମାଙ୍କ ମେଲାଣି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ସେହିପରି ମାଙ୍କୁ ବିଦାୟ ବେଳେ ମେଲାଣି ସ୍ୱରୂପ ମୋଚିସାହିରୁ ଆସିଥିବା ଭାର ସାମଗ୍ରୀ ମଧ୍ୟ ଯୋଗାଡ଼ କାର୍ଯ୍ୟ ଚାଲୁ ରହିଥିବା ବେଳେ ସ୍ଥାୟୀ ମନ୍ଦିର ପକ୍ଷରୁ ମଧ୍ୟ ମାଙ୍କ ଡ଼ାକରା ନିମନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ବିନା ଆଡ଼ମ୍ବରରେ ସୀମିତ ସଂଖ୍ୟକ ଭକ୍ତଙ୍କ ଗହଣରେ ମା ବିଳମ୍ବିତ ରାତିରେ ଅସ୍ଥାୟୀ ମନ୍ଦିର ଅଭିମୁଖେ ଯାତ୍ରା କରିବେ