ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସମାଜରେ ଏକ ବିପ୍ଳବ ସୃଷ୍ଟି କରିବା ଆବଶ୍ୟକ ଆଦର୍ଶବାଦୀ ମହାମାନ୍ୟ ମହମ୍ମଦଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର : ପୈଗମ୍ବର ମୁହମ୍ମଦ ସଲ୍ଲମ ଥିଲେ ଇସଲାମ ଧର୍ମର ପ୍ରବର୍ତକ । ସେ ମହାମାନବ ସମଗ୍ର ସଂସାରବାସୀଙ୍କ ପାଇଁ କରୁଣାର ସାଗର ହୋଇ ଆସିଥିଲେ । ବିନା ଭେଦଭାବ ଏବଂ ବିନା ବୈରିରେ ସେ ମାନବ ଅଧିକାର ପାଇଁ ନିଜର ସମଗ୍ର ଜୀବନ ସଂଘର୍ଷ କରିଥିଲେ । ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସମାଜରେ ଏକ ବିପ୍ଳବ ସୃଷ୍ଟି କରିଥିଲେ । ଏହିଭଳି ମତପ୍ରକାଶ ପାଇଛି ଭୁବନେଶ୍ୱର ସ୍ଥିତ ୟୁନିଟ-୪ ମସଜିଦ ହମଦ ଠାରେ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଏକ ଧର୍ମସଭାରେ । ଏହି ଧର୍ମସଭାରେ ପୌରୋହିତ୍ୟ କରିଥିଲେ ଭୁବନେଶ୍ୱର ଅହମଦୀୟା ମୁସଲିମ ସଂଗଠନର ସଭାପତି ମହମ୍ମଦ ନୁରୁଦ୍ଦିନ ଅମିନ । ସଭାକାର୍ଯ୍ୟ ପବିତ୍ର କୋରାନ ପାଠ ଆବୃତି ସହ ଆରମ୍ଭ ହୋଇଥିଲା । ପାର୍ସି, ଉର୍ଦ୍ଦୁ ଏବଂ ଓଡ଼ିଆ ସଂଗୀତ ଶହନୱାଜ ଅହମଦ, ବସିର ଅହମଦ, ନାସର ଖାଁ ଏବଂ ନିଜାମୁଦ୍ଦିନ ଖାଁ ପରିବେଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୌଲାନା ଫଜଲ ହକ ଖାଁ କହିଲେ,ନିଜ ଜୀବନରେ ପୈଗମ୍ବର ମୁହମ୍ମଦ ସଲ୍ଲମ ମାନବ ଅଧିକାରକୁ ଶ୍ରେଷ୍ଠ ମଣି ସେମାନଙ୍କୁ ସାମାଜିକ,ନୈତିକ,ଭୌତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ସମ୍ମାନ ଜନକ ଅଧିକା ଦେଇଥିଲେ । ଏପରିକି କନ୍ୟା ସନ୍ତାନକୁ ସୁରକ୍ଷା ଦେବା ପାଇଁ କହିଲେ । କନ୍ୟା ସନ୍ତାନ ହେଉ ବା ପୁତ୍ର ସନ୍ତାନ ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଜଣେ ସ୍ତ୍ରୀ ପ୍ରତି ଉଦାରତା ଓ ସଦ୍ବ୍ୟବହାର ପ୍ରଦର୍ଶନ କରିବାକୁ ସେ ଆଦେଶ ଦେଇଥିଲେ । ସ୍ୱାମୀ ମରଣାନ୍ତେ ସ୍ତ୍ରୀ ପ୍ରତି ସମାଜରେ ଅନ୍ୟାୟ ଓ ଅତ୍ୟାଚାର ବଢିଥାଏ,କିନ୍ତୁ ମହାମାନବ ହଜରତ ମୁହମ୍ମଦ ସଲ୍ଲମ ସ୍ତ୍ରୀକୁ ସ୍ୱାମୀର ସମ୍ପତିର ଅଂଶୀଦାର ହେବାର ଘୋଷଣା କରି ସ୍ତ୍ରୀ ଜାତି ପ୍ରତି ଉଚିତ ନ୍ୟାୟ କରିଥିଲେ । ଅନ୍ୟ ବକ୍ତାଗଣ ମଧ୍ୟରୁ ମହମ୍ମଦ ହୁମାୟୁଁ ଅକିଲ, ଶକିଲ ଅହମଦ ଏବଂ ଶାହନୱାଜ ଅହମଦ ନିଜ ଭାଷଣରେ କହିଲେ,ପଡ଼ୋଶୀ ସହ ସଦ୍ବ୍ୟବହାର ପ୍ରଦର୍ଶନ କରିବା, ଶିଶୁ ସନ୍ତାନ ପ୍ରତି ବାସ୍ଥଲ୍ୟ ମମତା ପ୍ରକଟ କରିବା, ଗୁରୁଜନ ପ୍ରତି ସମ୍ମାନ ବ୍ୟକ୍ତ କରିବା, ଅତିଥିମାନଙ୍କୁ ସତ୍କାର କରିବା,ପଥଚାରୀମାନଙ୍କୁ ପାଣି ପିଆଇବା, ବୃଦ୍ଧାଙ୍କ ସହ ସେବା ଓ ସାହାଯ୍ୟ କରିବା, ଗରିବ ଓ ଅସହାୟମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା, ପାପିମାନଙ୍କୁ ପାପରୁ ମୁକ୍ତ କରାଇବା, ଅମଣିଷକୁ ମଣିଷ କରିବା, ଅସଭ୍ୟକୁ ସଭ୍ୟକରିବା ତଥା ବିଶ୍ୱରେ ପ୍ରେମ, ସ୍ନେହ, ସୌହାର୍ଦ୍ଦ, ସଦ୍ଭାବନା, ସହିଷ୍ଣୁତା, ଭ୍ରାତୃଭାବ ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ମହାମାନବ ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମଙ୍କ ଜଗତବାସୀଙ୍କ ପାଇଁ ଅବଦାନ ବିରଳ ଓ ଆଦର୍ଶନୀୟ । ସଭାପତିତ୍ୱ ଭାଷଣରେ ମହମ୍ମଦ ନୁରୁଦ୍ଦିନ ଅମିନ କହିଲେ,ଆଜି ବିଶ୍ୱ ସମାଜରେ ଅହମଦୀୟା ମୁସଲିମ ସଂଗଠନ ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମଙ୍କ ଆନୁଗତ୍ୟରେ ସେହି ମହାନ ଶାନ୍ତି ପ୍ରଦାୟକ ଶିକ୍ଷାକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିଚାଲିଛି । ବିଶ୍ୱରେ ସ୍ଥାୟୀ ଶାନ୍ତି ସ୍ଥାପନା ପାଇଁ ନିରନ୍ତର ପ୍ରୟାସ କରିଚାଲିଛି । ସମଗ୍ର ବିଶ୍ୱ ଆଜି ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମଙ୍କ ଜୀବନାର୍ଦଶ ଅନୁଯାୟୀ ଅନୁପ୍ରାଣୀତ ହେବାରେ ଲାଗିଲାଣି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସେହି ମହାମାନବ,ଜଗତଗୁରୁ ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମଙ୍କ ପବିତ୍ର ଆଦର୍ଶକୁ ମନେପକାଇ ସବୁ କ୍ଷେତ୍ରରେ ମାନବକୁ ତା’ର ଉଚିତ୍ ଅଧିକାର ଦେବା ପାଇଁ ଉଦ୍ୟମ ଜାରି ରଖିବା । ବିଶ୍ୱଶାନ୍ତି,ଏକତା ଓ ଅଖଣ୍ଡତା ତଥା ଭାଇଚାରା ପ୍ରତିଷ୍ଠା ଦିଗରେ ଏକ ମନ ଏକ ପ୍ରାଣ ହୋଇ ମଳିତ ପ୍ରୟାସ କରିବା ଦିଗରେ ସେ ଆହ୍ୱାନ ଦେଇଥିଲେ ।