ବାଲେଶ୍ୱର ଜିଲା ଜଜ କୋର୍ଟଙ୍କ ପରିସରରେ ଉଦ୍ଘାଟିତ ହେଲା ପେପରଲେସ କୋର୍ଟ
![](https://thetruths.in/wp-content/uploads/2023/08/A-paperless-court-was-inaugurated-on-the-premises-of-the-Balasore-District-Judge-Court-1024x766.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା ଜଜ କୋର୍ଟଙ୍କ ପରିସରରେ କାର୍ଯ୍ୟକ୍ଷମ ସମସ୍ତ ଅଦାଲତରେ ନୂଆ କରି ପେପରଲେସ କୋର୍ଟ ଭର୍ଚୁଆଲ ମୋଡ଼ରେ ଉଦ୍ଘାଟିତ ହୋଇଯାଇଛି । ଏହି କୋର୍ଟକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ ମୂରଲୀଧର ଉଦ୍ଘାଟନ କରିଥିଲେ । ତାଙ୍କ ସହ ଅତିଥି ଭାବେ ହାଇକୋର୍ଟର ମନୋନୀତ ମୁଖ୍ୟ ବିଚାରପତି ତଥା ଆଇଟି ଓ ଏଆଇ କମଟିର ଚେୟାରମ୍ୟାନ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ହାଇକୋର୍ଟର ବିଚାରପତି ତଥା ବାଲେଶ୍ୱର ବିଚାର ବିଭାଗର ଆଡମିନିଷ୍ଟ୍ରେଟିଭ୍ ବିଚାରପତି ଜଷ୍ଟିସ ବିଭୁପ୍ରସାଦ ରାଉତରାୟ, ବିପି ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ । ସାଧାରଣଲୋକଙ୍କୁ ସିଧାସଳଖ ନ୍ୟାୟ ପ୍ରକ୍ରିୟା ସହ ଯୋଡ଼ିବା ଏହିଭଳି କୋର୍ଟ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ବିଚାରପତି ଶ୍ରୀ ମୂରଲୀଧରନ ଏହି ଅବସରରେ କହିଥିଲେ । ବିଶେଷ କରି ଇ-କେସ ଫାଇଲିଂ ଓ ଭିଡିଓ କନଫେରେନସିଂ ମାଧ୍ୟମରେ ଲୋକେ ଅଦାଲତକୁ ନ ଆସି ମଧ୍ୟ ନିଜର ମାମଲାରେ ଡିଜିଟାଲ ମାଧ୍ୟମରେ ଉପସ୍ଥାନ ଜାହିର ସହିତ ସମସ୍ତ ପ୍ରକାର କାଗଜପତ୍ର ଦାଖଲ କରିପାରିବେ ବୋଲି ମୁଖ୍ୟ ବିଚାରପତି ଶ୍ରୀ ମୂରଲୀଧରନ ସୂଚନା ଦେଇଥିଲେ ।
ଏହି କ୍ରମରେ ରାଜ୍ୟର ବିଭିନ୍ନ ଜିଲାରେ ପେପରଲେସ କୋର୍ଟ ନୂଆ କରି ଉଦଘାଟିତ ହୋଇଛି । ଏଥିରେ ବାଲେଶ୍ୱର ଜିଲା ଓ ଦୌରାଜଜ୍ଙ୍କ କୋର୍ଟ, ଅତିରିକ୍ତ ଜିଲା ଜଜ୍ ତଥା ଓପିଆଇଡ଼ି କୋର୍ଟ, ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ସ୍ୱତନ୍ତ୍ର କୋର୍ଟ, ତୃତୀୟ ଜିଲା ଓ ଦୌରା ଜଜ୍ଙ୍କ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ, ଅତିରିକ୍ତ ଦୌରାଜଜ୍ଙ୍କ ସ୍ୱତନ୍ତ୍ର ଟ୍ରାକ୍ କୋର୍ଟ, ପ୍ରଥମ ଓ ଦ୍ୱିତୀୟ ଆଡିସନାଲ ସିନିଅର ସିଭିଲ ଜଜ୍ଙ୍କ କୋର୍ଟଗୁଡ଼ିକୁ ଏଥିରେ ସାମିଲ କରାଯାଇଛି । ଏହି କୋର୍ଟ ଉଦ୍ଘାଟନ ସମୟରେ ଜିଲା ଦୌରାଜଜ ଅଶାନ୍ତ କୁମାର ଦାସଙ୍କ ସହ ଓପିଆଇଡ଼ି କୋର୍ଟ ଜଜ୍ ବିଶ୍ୱଜିତ ଦାସ, ପୋସ୍କୋ କୋର୍ଟ ଜଜ ରଞ୍ଜନ କୁମାର ସୂତାର, ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଜଜ୍ ମିହିର ରଞ୍ଜନ ପରିଡ଼ା, ଏସି ଏସ୍ଟି କୋର୍ଟ ଜଜ୍ ଲିଲିପ୍ତା ପଶାୟତ, ସ୍ୱତନ୍ତ୍ର ଟ୍ରାକ୍ କୋଟ ଜଜ୍ ତଥା ରେଜିଷ୍ଟ୍ରାର ରଞ୍ଜନ କୁମାର ପ୍ରଧାନ, ପ୍ରଥମ ଆଡିସନାଲ ସବଜଜ୍ ବବିତା ପାତ୍ର, ବାର ଆସୋସିଏସନର ସଭାପତି ମନୋଜ କୁମାର ନାୟକ ଓ ସମ୍ପାଦକ ଦୀପକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।