ପଞ୍ଜାବ ରାଜନୀତିରେ ବଡ ଧରଣର ପରିବର୍ତ୍ତନ! ଆଜି ବିଜେପିରେ ବିଲୟ ହେବ ପିଏଲସି
![](https://thetruths.in/wp-content/uploads/2022/09/Punjab-Politics-BJP-PLC.jpg)
ଚଣ୍ଡୀଗଡ : ପଞ୍ଜାବ ରାଜନୀତିରେ ଏକ ବଡ ଧରଣର ପରିବର୍ତ୍ତନ ଅସିବାକୁ ଯାଉଛି। ସୋମବାର ଦୀର୍ଘ ଦିନର କଳ୍ପନା ଜଳ୍ପନା ଅନ୍ତ ହେବ। କାରଣ ଆଜି ବିଜେପିରେ ବିଲୟ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହଙ୍କ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ଦଳ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସେପ୍ଟେମ୍ବର ୧୯ରେ ବିଜେପିରେ ଯୋଗଦେବେ। କ୍ୟାପଟେନଙ୍କ ସହ ପଞ୍ଜାବର ପାଞ୍ଚରୁ ଛଅ ଜଣ ପୂର୍ବତନ ମନ୍ତ୍ରୀ ମଧ୍ୟ ବିଜେପିରେ ଯୋଗଦେଇପାରନ୍ତି। ତେବେ କ୍ୟାପଟେନ ଅମରେନ୍ଦ୍ର ସିଂହଙ୍କୁ ରାଜ୍ୟ ବିଜେପିରେ ଏକ ବଡ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି।
ଗତ ମାସରେ କ୍ୟାପଟେନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଦିଲ୍ଲୀରେ ପ୍ରାୟ ଏକ ଘଣ୍ଟା ଧରି ବୈଠକ କରିଥିଲେ। ଯାହା ପରେ ତାଙ୍କ ପିଏଲସି ଓ ବିଜେପିର ମିଶ୍ରଣକୁ ନେଇ ଆଲୋଚନା ତୀବ୍ର ହେବାରେ ଲାଗିଥିଲା। ତେବେ ବୈଠକ ପରେ କ୍ୟାପଟେନ ଦଳର ବିଲୟ ପ୍ରଶ୍ନକୁ ଅସ୍ୱୀକାର କରି ଏହାକୁ କେବଳ କଳ୍ପନାଜଳ୍ପନା ବୋଲି କହିଥିଲେ। ଏହା ପରେ ଅଗଷ୍ଟ ୩୦ରେ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ କ୍ୟାପଟେନ ଟ୍ୱିଟରରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପଞ୍ଜାବର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ, ଯାହା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିବ।
କିନ୍ତୁ ବର୍ତ୍ତମାନ ବାଜି ଓଲଟି ଯାଇଛି। ଯେଉଁ ବ୍ୟକ୍ତି ମାସେ ପୂର୍ବେ ବିଜେପିରେ ମିଶିବା ପ୍ରଶ୍ନକୁ କଳ୍ପନା ବୋଲି କହୁଥିଲେ, ସେ ସୋମବାର ନିଜ ଦଳକୁ ବିଲୟ କରିବେ। ଆଉ କ୍ୟାପଟେନଙ୍କୁ ନିଜ ଦଳକୁ ନେବା ବିଜେପି ପାଇଁ ମଧ୍ୟ ଦୁର୍ବଳତା ଅଟେ। ପଞ୍ଜାବର କେତେକ ସହରାଞ୍ଚଚଳକୁ ଛାଡିଦେଲେ, ରାଜ୍ୟରେ ବିଜେପିର ନା ଆଧାର ଅଛି କିମ୍ବା ନା କ୍ୟାଡର ଅଛି। ସେହିପରି ପଞ୍ଜାବରେ ଦେଶର ବଡ ଦଳର ବଡ ଚେହେରା ମଧ୍ୟ ନାହିଁ। କୃଷି ନିୟମ ବିରୁଦ୍ଧରେ ବର୍ଷସାରା ଚାଲିଥିବା କୃଷକଙ୍କ ଆନ୍ଦୋଳନ ଯୋଗୁଁ ପଞ୍ଜାବର ଲୋକମାନେ ମଧ୍ୟ ବିଜେପିକୁ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରନ୍ତି। ଏଭଳି ପରିସ୍ଥିତିରେ ବିଜେପି ହାଇକମାଣ୍ଡ କ୍ୟାପଟେନ ଅମରିନ୍ଦରଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହୋଇଛି।
କ୍ୟାପଟେନ ତଥା ପୂର୍ବତନ କଂଗ୍ରେସ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କୁ ସାଙ୍ଗରେ ନେଇ ବିଜେପି ସମଗ୍ର ରାଜ୍ୟରେ ପହଞ୍ଚିବାକୁ ଚାହୁଁଛି। ୨୦୨୩ ଜାନୁଆରୀରେ ବିଜେପି ରାଜ୍ୟ ସଭାପତି ଅଶ୍ୱାନୀ ଶର୍ମାଙ୍କ ତିନି ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ପଞ୍ଜାବରେ ଦଳକୁ ପୁନର୍ଗଠନ କରିବାକୁ ବିଜେପି ପ୍ରସ୍ତୁତ ହେଉଛି। ଏନଡିଏରୁ ଶିରୋମଣୀ ଅକାଳି ଦଳ ଅଲଗା ହେଲା ପରେ ପଞ୍ଜାବରେ ବିଜେପି ଏକୁଟିଆ ହଇପଡିଛି। ଏଭଳି ପରିସ୍ଥିତିରେ ପିଏଲସିକୁ ବିଜେପି ସହିତ ମିଶ୍ରଣ କରିବା ପରେ ଦଳର ନେତୃତ୍ୱ କ୍ୟାପଟେନ ଏବଂ ତାଙ୍କ ନିକଟତରଙ୍କୁ ପଞ୍ଜାବରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ। ତେବେ ପିଏଲସିର ମିଶ୍ରଣ ପରେ ବିଜେପି ହାଇକମାଣ୍ଡ ଏକ ନୂତନ ରାଜ୍ୟ କାର୍ଯ୍ୟନିର୍ବାହୀ ଘୋଷଣା କରିପାରନ୍ତି।
ଚଳିତ ବର୍ଷ ଫେବୃଆରୀରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହୋଇଥିଲା। କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିର ଝଡରେ ସବୁ ଦଳ ଝଡିପଡିଥିଲେ। ନବଜୋତ ସିଦ୍ଧୁ ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କ ସହ କଳହ ପରେ ପଞ୍ଜାବ ସିଏମ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ ଗତ ବର୍ଷ କଂଗ୍ରେସ ଦଳ ଛାଡିଥିଲେ। ଏହା ପରେ ସେ ‘ପଞ୍ଜାବ ଲୋକ କଂଗ୍ରେସ’ (ପିଏଲସି) ଦଳ ଗଠନ କରିଥିଲେ। ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ କ୍ୟାପଟେନ ବିଜେପି ସହ ମିଳିତ ମଞ୍ଚରେ ପ୍ରବେଶ କରିଥିଲେ। ତେବେ ସେ ନିଜେ ନିଜ ପଟିଆଲା ଆସନକୁ ବଞ୍ଚାଇ ପାରିଲେ ନାହିଁ କିମ୍ବା ରାଜ୍ୟରେ ତାଙ୍କର କୌଣସି ପ୍ରାର୍ଥୀ ଜିତି ନାହାଁନ୍ତି।