ନୂଆ ବର୍ଷର ପ୍ରଥମ ଦିନରେ ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ୨୫ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଜାନୁଆରୀ ୧, ୨୦୨୩ରେ ଗ୍ୟାସ୍ ସିଲିଣ୍ଡର ନୂଆ ମୂଲ୍ୟ ଜାରି କରିଛନ୍ତି। ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ହୋଇଛି। ତେବେ ଏହି ମୂଲ୍ୟ ବୃଦ୍ଧି କେବଳ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପାଇଁ ଲାଗୁ । ଘରୋଇ ଏଲପିଜି ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ । ପୂର୍ବପରି ଏହା ପୁରୁଣା ଦରରେ ଉପଲବ୍ଧ ହେବ ।
ସୂଚନା ଯେ, ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଶେଷ ପରିବର୍ତ୍ତନ ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ୬ ଜୁଲାଇ ୨୦୨୨ ରେ କରାଯାଇଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୩.୫ ଟଙ୍କା ବୃଦ୍ଧି ପାଇଛି । ୨୦୨୨ ମସିହା ମାର୍ଚ୍ଚ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ପରେ ମେ ମାସରେ ପୁଣିଥରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ, ମେ ମାସରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ୩.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହା ପରେ ଜୁଲାଇରେ ଶେଷ ଥର ପାଇଁ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।