୮୦୦ କୋଟିରେ ପହଞ୍ଚିଲା ବିଶ୍ୱର ଜନସଂଖ୍ୟା, ବଢ଼ିଲା ଭାରତୀୟଙ୍କ ଆୟୁଷ
![](https://thetruths.in/wp-content/uploads/2022/11/Population-of-World-1024x576.jpg)
ନୂଆଦିଲ୍ଲୀ : ଆଜି ବିଶ୍ୱ ଜନସଂଖ୍ୟା ଦିବସ। ଜାତିସଂଘର ଆକଳନ ଅନୁଯାୟୀ, ମଙ୍ଗଳବାର ବିଶ୍ୱର ଜନସଂଖ୍ୟା ୮ ଶହ କୋଟିରେ ପହଞ୍ଚିଛି। ଏହାକୁ ମାନବ ବିକାଶର ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି। ମିଳିତ ଜାତିସଂଘର ସର୍ବଶେଷ ଆକଳନ ଅନୁଯାୟୀ, ୨୦୩୦ ମସିହାରେ ବିଶ୍ୱର ଜନସଂଖ୍ୟା ପ୍ରାୟ ସାଢେ ୮ ଶହ କୋଟି, ୨୦୫୦ରେ ୯୭୦ କୋଟି ଏବଂ ୨୧୦୦ ବେଳକୁ ଏହା ୧୦୪୦ କୋଟିକୁ ବୃଦ୍ଧି ପାଇପାରେ।
ବିଶ୍ୱଜନସଂଖ୍ୟା ଦିବସ ଅବସରରେ ସୋମବାର ଜାତିସଙ୍ଘ ପକ୍ଷରୁ ପ୍ରକାଶିତ ବାର୍ଷିକ ବିଶ୍ୱଜନସଂଖ୍ୟା ଆଶା ରିପୋର୍ଟ ପ୍ରକାଶିତ କରାଯାଇଥିଲା। ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୧୯୮୦ମସିହାରୁ ବିଶ୍ୱର ଜନସଂଖ୍ୟା ମନ୍ଥର ଗତିରେ ବୃଦ୍ଧି ପାଉଛି ଏବଂ ୨୦୨୦ରେ ଏହା ଏକ ପ୍ରତିଶତକୁ ହ୍ରାସ ପାଇଛି। ବିଶ୍ୱର ଜନସଂଖ୍ୟା ୭୦୦ରୁ ୮୦୦ କୋଟି ହେବାକୁ ୧୨ ବର୍ଷ ଲାଗିଥିଲା। ଆଉ ଏବେ ତାହା ୯୦୦ କୋଟିରେ ପହଞ୍ଚିବାକୁ ପ୍ରାୟ ୧୫ ବର୍ଷ ସମୟ ଲାଗିବ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଶ୍ୱ ଜନସଂଖ୍ୟାର ସାମଗ୍ରିକ ଅଭିବୃଦ୍ଧି ହାର ମନ୍ଥର ଗତି କରୁଛି।
୨୦୨୨ ମସିହାରେ ଦୁଇଟି ଅଞ୍ଚଳ ଯଥା- ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆ, ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ପୂର୍ବ ଏସିଆରେ ୨୩୦ କୋଟି ଏବଂ ଦକ୍ଷିଣ-ପୂର୍ବ ଏସିଆରେ ୨୧୦ କୋଟି ଜନସଂଖ୍ୟା ଥିଲା। ଏହି ଦୁଇଟି ଅଞ୍ଚଳ ପାଇଁ ଚୀନ୍ ଏବଂ ଭାରତ ପ୍ରତ୍ୟେକର ଜନସଂଖ୍ୟା ୧୪୦ କୋଟି ଟପିଛି। ୨୦୫୦ ପର୍ଯ୍ୟନ୍ତ ବିଶ୍ୱର ଜନସଂଖ୍ୟାର ଅଧାରୁ ଅଧିକ କେବଳ ଆଠଟି ଦେଶରେ ଥିବେ। ତେବେ ସେହି ଜନସଂଖ୍ୟା ବହୁଳ ଦେଶ ଗୁଡିକ ହେଲା- ଭାରତ, ପାକିସ୍ତାନ, କଙ୍ଗୋ, ଇଜିପ୍ଟ, ଇଥିଓପିଆ, ତାଞ୍ଜାନିଆ, ନାଇଜେରିଆ ଏବଂ ଫିଲିପାଇନ୍ସ।
ଜାତିସଂଘର ଆକଳନ ଅନୁଯାୟୀ, ୨୦୨୩ ମସିହା ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଚୀନ୍ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ମୃତ୍ୟୁ ହାର ହ୍ରାସ ପାଇଲେ ଜନସଂଖ୍ୟା ବୃଦ୍ଧି ହୋଇଥାଏ। ସର୍ବଭାରତୀୟ ସ୍ତରରେ, ୨୦୧୯ରେ ମଣିଷର ଆୟୁଷ ୭୨.୮ ବର୍ଷରେ ପହଞ୍ଚିଛି। ଏହା ୧୯୯୦ ତୁଳନାରେ ପ୍ରାୟ ୯ ବର୍ଷ ବୃଦ୍ଧି ଘଟିଛି। ମୃତ୍ୟୁହାରରେ ଆହୁରି ହ୍ରାସ ହେତୁ ୨୦୫୦ ମସିହାରେ ବିଶ୍ୱରେ ମଣିଷ ହାରାହାରି ଆୟୁଷ ୭୭.୨ ବର୍ଷ ହେବ ବୋଲି ଆକଳନ କରାଯାଇଛି।
ଜନସଂଖ୍ୟା ବୃଦ୍ଧି ଫଳରେ ଦେଶଗୁଡିକ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ। ତେଣୁ ବିଶ୍ୱର ଜନସଂଖ୍ୟା ବୃଦ୍ଧି ସମୟରେ ବିଶ୍ୱର ଗରିବ ଦେଶ ଗୁଡିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଏ। ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକଙ୍କ ସୁଖୀ ଏବଂ ସୁସ୍ଥ ଭବିଷ୍ୟତ ପ୍ରଭାବିତ ହୋଇଥାଏ। ବିଶେଷ କରି ସାହାରା ଆଫ୍ରିକାରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ପାଉଛି। ଯାହାଫଳରେ ସେଠାରେ ଆର୍ଥିକ ସଙ୍କଟ ସୃଷ୍ଟି ହେଉଛି। ଏପରିକି ବର୍ଦ୍ଧିତ ଜନସଂଖ୍ୟା, ପରିବେଶ ପ୍ରଦୂଷଣ ମଧ୍ୟ ବୃଦ୍ଧି କରାଇଥାଏ।
ଅନ୍ୟପଟେ, ଶିଶୁ ମୃତ୍ୟୁହାର ଯୋଗୁଁ ମାନବ ସଙ୍କଟ ଦେଖିବାକୁ ମିଳୁଛି। ଏକ ରିପୋର୍ଟ ଅନୁସାରେ, ଚୀନରେ ଶିଶୁ ଜନ୍ମ ହାର ହ୍ରାସ ହେବାରେ ଲାଗିଛି। ଯାହାକୁ ନେଇ ଚୀନ ଚିନ୍ତାରେ ଅଛି। ଚୀନରେ ବହୁ ଦମ୍ପତି କେବଳ ଗୋଟିଏ ସନ୍ତାନ ଜନ୍ମ କରିବାକୁ ଚାହୁଁଥିବାବେଳେ ସରକାର ଅତି କମରେ ୩ ଜଣ ସନ୍ତାନ ଜନ୍ମ କରିବାକୁ ଚେଷ୍ଟା କରୁଛନ୍ତି। ୨୦୨୧ ମସିହାରେ ଚୀନରେ ପ୍ରଜନନ ହାର ୧.୧୬ ଥିଲା, ଯାହା ଜନସଂଖ୍ୟା ସ୍ଥିରତାର ୨.୧ ମାନକଠାରୁ ବହୁତ କମ ଅଟେ। ଚଳିତ ବର୍ଷ ଚୀନରେ ଶିଶୁ ଜନ୍ମ ହାର ୧ କୋଟିକୁ ଖସିପାରେ ବୋଲି ଆକଳନ କରାଯାଇଛି।
ମାନବ ସଙ୍କଟ ବୃଦ୍ଧି ପାଇବାର କିଛି ବିଶେଷ କାରଣ :-
ବର୍ତ୍ତମାନ ସମୟରେ ଯୁବବର୍ଗମାନେ ବିବାହ କରିବାକୁ ଚାହୁଁନାହାଁନ୍ତି।
କ୍ୟାରିୟରକୁ ଦେଖି ଯୁବପିଢି ବିଳମ୍ବରେ ବିବାହ କରୁଛନ୍ତି। ଫଳରେ ଗର୍ଭ ରହିବା କଷ୍ଟକର ହୋଇ ପଡୁଛି।
ବିବାହ ଅପେକ୍ଷା ଲିଭ୍ ଇନକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ବିବାହ କଲେ ସନ୍ତାନ ଜନ୍ମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।
ପିଲାମାନଙ୍କର ପ୍ରତିପୋଷଣ ଓ ଶିକ୍ଷା ଖର୍ଚ୍ଚ ବହୁତ ମହଙ୍ଗା ହୋଇଯାଉଛି।
ସରକାରୀ ନିୟମ- ଯେପରି ‘ଆମେ ଦୁଇ ଆମର ଦୁଇ’, ସଂରକ୍ଷଣ ସୁବିଧା ଅନ୍ୟତମ।